ଭୁବନେଶ୍ୱର, ୧୮/୧୦ : ନୂଆପଡ଼ା ଉପନିର୍ବାଚନ ଲାଗି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଆଜି ନିଜ ସମର୍ଥକମାନଙ୍କ ସହ ଆସି ନାମାଙ୍କନ ଭରିଛନ୍ତି । ଏହି ଅବସରରେ ପିସିସି ସଭାପତି ଭକ୍ତ ଚରଣ ମାଝୀ ଓ ବରିଷ୍ଠ ସଦସ୍ୟ ସୁରେଶ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଏଣେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ମଧ୍ୟ ନାମାଙ୍କନ ଭରିଛନ୍ତି । ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ନଭେମ୍ବର ୧୧ ତାରିଖରେ ଦିନ ନୂଆପଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ। ଏହାକୁ ନେଇ ବିଜେପି, ବିଜେଡି ଓ କଂଗ୍ରେସ ଶିବିର ଚଳଚଞ୍ଚଳ ହୋଇଯାଇଛି । ପ୍ରଥମ ଦଳ ଭାବେ କଂଗ୍ରେସ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ଘାସିରାମ ମାଝୀଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିଲା । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୨୦୨୪ ସାଧାରଣ ନିର୍ବାଚନରେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ । ସେ କଂଗ୍ରେସ ଟିକେଟ୍ ପାଇଁ ଦାବିଦାର ଥିଲେ ମଧ୍ୟ ଦଳର ପ୍ରାର୍ଥୀ ହୋଇଥିଲେ ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ । ଫଳରେ ଅସନ୍ତୁଷ୍ଟ ଘାସିରାମ ସ୍ବାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲେ । ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ସହ ଘାସିରାମଙ୍କର ହିଁ କଡ଼ା ମୁକାବିଲା ହୋଇଥିଲା । ଘାସିରାମ ୫୦ ହଜାରରୁ ଅଧିକ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। କଂଗ୍ରେସ ପ୍ରାର୍ଥୀ ତଥା ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ ମାତ୍ର ୧୫ହଜାର ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଥିଲେ ।
