ଆନନ୍ଦପୁର : ନଦୀ ମରିଗଲେ ସଭ୍ୟତା ଆପେ ମରିଯାଏ। ତେଣୁ ନଦୀକୁ ସ୍ୱଚ୍ଛ, ସୁରକ୍ଷିତ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ବାଲି ହିଁ ନଦୀର ଜୀବନ। ବାଲି ସରିଗଲେ ନଦୀର ଆୟୁଷ ମଧ୍ୟ ଶେଷ ହୋଇଯାଏ ବୋଲି ଆଜି ଆନନ୍ଦପୁର ବୈତରଣୀ ନଦୀର ରାଜଘାଟଠାରେ ଅନୁଷ୍ଠିତ ବାଲି ସତ୍ୟାଗ୍ରହରେ ମତପ୍ରକାଶ ପାଇଛି। ଦୁର୍ନୀତି ବିରୋଧୀ ପ୍ରଗତିଶୀଳ ମଞ୍ଚ ଆବାହକ ଯଜ୍ଞପ୍ରସାଦ ସାହୁଙ୍କ ନେତୃତ୍ୱରେ ବାଲି ସତ୍ୟାଗ୍ରହ ହୋଇଥିଲା। ଆନନ୍ଦପୁର ଉପଖଣ୍ଡରେ ବାଲି ଚୋରାଚାଲାଣ ବେଧଡ଼କ ଚାଲିଛି। ପ୍ରଶାସନ ଏଥିରେ ଅଙ୍କୁଶ ଲଗାଇବାରେ ବିଫଳ ହୋଇଛି। ବୈତରଣୀ ସମେତ ଅନ୍ୟାନ୍ୟ ନଦୀନାଳର ସୁରକ୍ଷା ପାଇଁ ବାଲି ସତ୍ୟାଗ୍ରହ କରାଯାଇଛି ବୋଲି ଶ୍ରୀ ସାହୁ କହିଛନ୍ତି।
