ଭୁବନେଶ୍ୱର, ୨୨/୧୦ : ବହୁ ଚର୍ଚ୍ଚିତ ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ପୂର୍ବତନ ବିଜେଡ଼ି ବିଧାୟକ ତଥା ଗଞ୍ଜାମ ଜିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କୁ ପୋଲିସ ଉଠାଇ ନେଇଛି । ଅନ୍ୟପକ୍ଷରେ ବିକ୍ରମଙ୍କ ସମର୍ଥକମାନେ ବୈଦ୍ୟନାଥ ପୁର ଥାନା ସମ୍ମୁଖରେ ହୋହାଲ୍ଲା କରିଛନ୍ତି । ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ବ୍ରହ୍ମପୁର ସହର ସାରା ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପୀତବାସଙ୍କ ହତ୍ୟା ମାମଲାକୁ ଦୀର୍ଘ ୧୭ ଦିନ ବିତିଯାଇଛି । ପୋଲିସ ହାତ ଏଯାଏଁ ଖାଲି ରହିଛି । କେବଳ କିଛି ଲୋକଙ୍କୁ ଅଟକ ରଖାଯାଇଛି । ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ବିକ୍ରମ ପଣ୍ଡାଙ୍କୁ ତାଙ୍କ ବାସଭବନରୁ ଉଠାଇ ନେଇଛି । ବିକ୍ରମଙ୍କୁ କେଉଁଠି ରଖାଯାଇଛି, ତାହା କାହାକୁ ବି ଜଣା ନାହିଁ । ସେହିପରି ପୁରୀରୁ ଜଣେ ସାର୍ପ ସୁଟରକୁ ଅଟକ ରଖାଯାଇଛି । ସମୁଦ୍ର ବାଲିରେ ବନ୍ଧୁକ ପୋତୁଥିବା ସମୟରେ ପୋଲିସ ଧରିଥିଲା । କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଆଜି ବ୍ରହ୍ମପୁର ଏସପି ସାମ୍ବାଦିକ ସମ୍ମିଳନୀ କରି ସବିଶେଷ ସୂଚନା ଦେଇପାରନ୍ତି ବୋଲି କୁହାଯାଉଛି ।ପୂର୍ବରୁ ମଧ୍ୟ ପୂର୍ବତନ ମେୟର ଶିବ ଶଙ୍କର ଦାସ ଓରଫ୍ ପିଣ୍ଟୁ ଦାସ, କର୍ପୋରେଟର, ଜଣେ ଛାତ୍ର ନେତା, ସାର୍ପ ସୁଟର୍ ଏବଂ ରେକି କରିଥିବା ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖିଛି । ଏହା ସହିତ ହତ୍ୟା ପରଠାରୁ ୧୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଜେରା କରାଯାଇଥିବାବେଳେ ୭୦ରୁ ଉର୍ଦ୍ଧ୍ୱ ସିସିଟିଭି କ୍ୟାମେରାକୁ ଯାଞ୍ଚ କରାଯାଇଛି । ତଥାପି ପୋଲିସ ଶେଷ ସିଦ୍ଧାନ୍ତରେ ପହଁଚି ନାହିଁ କିମ୍ବା କାହାକୁ ଗିରଫ କରାଯାଇ ନାହିଁ ।
