କମ୍ପିଲାଣି ନୂଆପଡ଼ା ଉପନିର୍ବାଚନ : ବିଜେପି ପାଇଁ ମୁଖ୍ୟମନ୍ତ୍ରୀ ଓ ବିଜେଡି ପାଇଁ ନବୀନ କରିବେ ପ୍ରଚାର

ଭୁବନେଶ୍ୱର, ୨୫/୧୦ : ଜୋର ଧରିଲାଣି ନୂଆପଡ଼ା ଉପନିର୍ବାଚନ । ରଣାଙ୍ଗନରେ ଅଛନ୍ତି ୧୪ ପ୍ରାର୍ଥୀ । ଗତକାଲି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନରେ ଜଣେ ବି ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନାହାନ୍ତି । ନୂଆପଡା ଦେଖିବ ମହାଯୋଦ୍ଧାଙ୍କ ମହାଲଢେଇ। ଗ୍ରାଉଣ୍ଡକୁ ଓହ୍ଲାଇଲେଣି ସବୁ ଦଳର ମହାଯୋଦ୍ଧା । ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ, ଅନେକ କେନ୍ଦ୍ରମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ ଓ ଦଳର ବରିଷ୍ଠ ନେତା । ଆଜି ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ତାଙ୍କ ମାଆ କଳ୍ପନା ଢୋଲକିଆ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ସେପଟେ ଗଡ଼ ବଞ୍ଚାଇବା ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ମଇଦାନକୁ ଓହ୍ଲାଇବେ। ଲଢେଇ ପାଇଁ ନୂଆପଡାକୁ ଯୋଦ୍ଧା ପଠାଇସାରିଛନ୍ତି ବିଜେଡି ସୁପ୍ରିମୋ। ପୂର୍ବରୁ ୫୨ ବରିଷ୍ଠ ନେତା, ବିଧାୟକ, ପୂର୍ବତନ ବିଧାୟକଙ୍କୁ ନୂଆପଡା ନିର୍ବାଚନମଣ୍ଡଳୀ ଦାୟିତ୍ବ ଦେଇଥିଲେ । ଗତକାଲି ନୂଆପଡ଼ା ଉପନିର୍ବାଚନ ଆଉ ୩୪ ନେତାଙ୍କୁ ଦାୟିତ୍ବ ଦେଇଛନ୍ତି ନବୀନ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି। ଘାସିରାମ ମାଝି ନୂଆପଡ଼ା ଅଞ୍ଚଳର ସ୍ଥାନୀୟ ଶିକ୍ଷା,ସ୍ୱାସ୍ଥ୍ୟ , ଚାଷୀ ସମସ୍ୟାକୁ ପାନୀୟ ଜଳ ସମସ୍ୟାକୁ ନେଇ ବାରମ୍ବାର ଲଢେଇ କରିଆସୁଛନ୍ତି । ଆଗକୁ କଂଗ୍ରେସ ପାଇଁ ଷ୍ଟାର ପ୍ରଚାରକମାନେ ଆସି ଜୋରଦାର କ୍ୟାମ୍ପେନ କରିବେ। ୨୦୨୪ ନିର୍ବାଚନ ପରେ ଏହା ସବୁ ଦଳ ପାଇଁ ଏସିଡ ଟେଷ୍ଟ ।

SBI_Festive_Digital Billboard