ଭୁବନେଶ୍ୱର, ୨୬/୧୦ : ମଛଲିପଟ୍ଟନମ ଓ କଳିଙ୍ଗପଟ୍ଟନମ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ମୋନ୍ଥା । ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ଏହା ସ୍ଥଳଭାଗ ଛୁଇଁବ । ସମ୍ଭାବ୍ୟ ବାତ୍ୟାର ଲ୍ୟାଣ୍ଡଫଲ ନେଇ ଏହି ସୂଚନା ଦେଇଛି ପାଣିପାଗ ବିଭାଗ । ଗତ ୬ ଘଣ୍ଟାରେ ୮ କିଲୋମିଟର ବେଗରେ ଆଗକୁ ବଢୁଛି । ପୋର୍ଟ ବ୍ଲୋୟାରରୁ ୫୫୦, ଚେନ୍ନାଇରୁ ୮୫୦, ବିଶାଖାପାଟଣାରୁ ୮୬୦, କାକିନାଡାରୁ ୮୯୦ ଓ ଗୋପାଳପୁରରୁ ୯୭୦ କିଲୋମିଟର ଦୂରରେ ରହିଛି । ଆଜି ଗଭୀର ଅବପାତରେ ପରିଣତ ହେବ । ୨୭ ସକାଳେ ବାତ୍ୟାରେ ପରିଣତ ହେବ । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୯୦ରୁ ୧୦୦ କିମି ରହିବ । ଝଟକାପବନର ବେଗ ୧୧୦କିମି ପର୍ଯ୍ୟନ୍ତ ବଢିପାରେ । ବର୍ତ୍ତମାନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସକ୍ରିୟ ରହିଛି ଅବପାତ। ବାତ୍ଯାର ରୂପ ନେବା ପରେ ଏହାର ନାମ ମୋନ୍ଥା ରହିବ।
ବାତ୍ୟାରେ ପରିଣତ ହେବା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆନ୍ଧ୍ର ଉପକୂଳ ମୁହାଁ ହେବ । ବାତ୍ୟା ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ୩ଦିନ ପ୍ରବଳ ବର୍ଷା ହେବ । ବାତ୍ୟା ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ୨୭ରୁ ୨୯ ଯାଏ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆସନ୍ତାକାଲି ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ପ୍ରବଳ ବର୍ଷା ପାଇଁ ୩ ଜିଲ୍ଲା ପୁରୀ, ଖୋର୍ଦ୍ଧା ଓ ନୟାଗଡ଼କୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୨୮ରୁ ବଢିବ ବର୍ଷାର ପରିମାଣ । ୨୮ ତାରିଖରେ ଅତିପ୍ରବଳ ବର୍ଷା ପାଇଁ ଦକ୍ଷିଣ ଓଡ଼ିଶାର ପାଞ୍ଚ ଜିଲ୍ଲା ଗଜପତି, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟକୁ ରେଡ ୱାର୍ଣ୍ଣିଂ ଜାରି ହୋଇଛି । ପ୍ରବଳ ବର୍ଷା ପାଇଁ ୬ ଜିଲ୍ଲା ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ୨୯ ତାରିଖରେ ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡିରେ ଅତିଭୀଷଣ ବର୍ଷା ପାଇଁ ରେଡ ୱାର୍ଣ୍ଣିଂ ଜାରି ହୋଇଛି । ପ୍ରବଳ ବର୍ଷା ପାଇଁ ୬ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ଆଲର୍ଟ ।
