ଭୁବନେଶ୍ୱର, ୨୬/୧୦ : ସମ୍ଭାବ୍ୟ ବାତ୍ୟାକୁ ନେଇ ୭ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ । ବାଲେଶ୍ୱରରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହେବା ପର୍ଯ୍ୟନ୍ତ ଛୁଟି ବାତିଲ୍ । ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କଲେ ବାଲେଶ୍ବର ଜିଲ୍ଲାପାଳ । ଗଞ୍ଜାମରେ ୨୫ରୁ ୩୦ ଛୁଟି ବାତିଲ, ମୁଖ୍ୟାଳୟ ଛାଡ଼ିବା ଉପରେ କଟକଣା। କେନ୍ଦ୍ରାପଡ଼ା ଜିଲ୍ଲାରେ ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ମୁଖ୍ୟାଳୟ ଛାଡ଼ିବା ମନା।ମାଲକାନଗିରିରେ ୨୭ରୁ ୩୦ ପର୍ଯ୍ୟନ୍ତ ଛୁଟି ବାତିଲ କଲେ ଜିଲ୍ଲାପାଳ । କୋରାପୁଟରେ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ କଲେ ଜିଲ୍ଲାପାଳ। କଳାହାଣ୍ଡି ଓ ଗଜପତି ଜିଲ୍ଲାରେ ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେଇ ସାରିଛି । ୨୭ ତାରିଖରେ ସାମୁଦ୍ରିକ ଝଡ଼ବାତ୍ୟାର ରୂପ ନେବ ‘ମୋନ୍ଥା’। ୨୮ ତାରିଖରେ ‘ଭୀଷଣ ବାତ୍ୟା’ର ରୂପ ନେବା ସମ୍ଭାବନା । ବାତ୍ୟା ପ୍ରଭାବରେ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଗାମୀ ଦୁଇଦିନ ପାଇଁ ରାଜ୍ୟରେ ବିଶେଷ କିଛି ପାଗ ପରିବର୍ତ୍ତନ ହେବାର ସମ୍ଭାବନା ନ ଥିବାବେଳେ ରାଜ୍ୟର କଁା ଭା ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ।
୨୭ରେ ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ କନ୍ଧମାଳ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏହିସବୁ ଜିଲାରେ ୭ରୁ ୨୦ ସେ.ମି. ପର୍ଯ୍ୟନ୍ତ ବର୍ଷା ହେବ। ସେହିପରି ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା ଏବଂ ଜଗତ୍ସିଂହପୁର ଜିଲାରେ ପ୍ରବଳ ବର୍ଷା (୭ରୁ ୧୧ ସେ.ମି) ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ସୋମବାର ମାଲକାନାଗିରି, କୋରାପୁଟ, ରାୟଗଡ଼ା, ଗଜପତି ଏବଂ ଗଞ୍ଜାମ ଜିଲାରେ ଭୀଷଣ ବର୍ଷା (୨୦ ସେ.ମିରୁ ଅଧିକ) ନେଇ ରେଡ୍ ଓ୍ବାର୍ନିଂ ଜାରି କରାଯାଇଛି। ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଯେଉଁଥିରେ ଆଭାସୀ ମାଧ୍ୟମରେ ଜିଲ୍ଲାର ସମସ୍ତ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନେ ଉପସ୍ଥିତ ଥିଲେ । 25ରୁ 30 ଯାଏ ସରକାରୀ ଛୁଟି ବାତିଲ: ଆସନ୍ତା ୨୫ ତାରିଖରୁ ୩୦ ତାରିଖ ଯାଏଁ ମୁଖ୍ୟାଳୟ ଛାଡିନଯିବାକୁ ସମସ୍ତ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି l ଯେଉଁମାନେ ଛୁଟିରେ ଯାଇଛନ୍ତି ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ କୁହାଯାଇଛି । ଜିଲ୍ଲାରେ ରହିଥିବା ସମୁଦ୍ର କୁଳିଆ ଅଞ୍ଚଳ ଗୁଡିକରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି l ଯେଉଁମାନେ ଯାଇଛନ୍ତି ଶନିବାର ସନ୍ଧ୍ୟା ସୁଦ୍ଧା ଫେରିବାକୁ କୁହାଯାଇଛି । ଯେଉଁମାନେ ନିର୍ଦ୍ଦେଶ ନ ମାନନ୍ତି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।
