ଇଣ୍ଡିଆ ବୁକ୍‌ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ୨ ବର୍ଷର କୁନି ଝିଅ ସମନ୍ୱିତା

ଭୁବନେଶ୍ୱର, ୨୭/୧୦ : ବୟସ ମାତ୍ର ୨ ବର୍ଷ। ଯାହା ଶୁଣୁଛନ୍ତି ସବୁ ମନେ ରଖିଦେଉଛନ୍ତି। ପଶୁପକ୍ଷୀଙ୍କ ନାଁ ହେଉ ଅବା ରଙ୍ଗ…ଯାହା ପଚାରିଲେ ଚଟାପଟ୍‌ ଦେଉଛନ୍ତି ଉତ୍ତର। କଥାରେ ଅଛି ପ୍ରତିଭା ପ୍ରସ୍ଫୁଟିତ ହେବାପାଇଁ କୌଣସି ବାଧା କେବେ ଅଟକାଇ ପାରେ ନାହିଁ କିମ୍ବା ବୟସ ଏଥିରେ ବାଧକ ସାଜିପାରେ ନାହିଁ। ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ୨ ବର୍ଷର କୁନି ଝିଅ ସମନ୍ୱିତା ଦାସ। ଏହି ପ୍ରତିଭା ପାଇଁ ସେ ଏବେ ଇଣ୍ଡିଆ ବୁକ୍‌ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି।
ସମନ୍ୱିତା ଦାସ ହେଉଛନ୍ତି ପୁରୀ ଚକରତୀର୍ଥ ରୋଡ ନୂଆସାହିର ଶିବପ୍ରସାଦ ଦାସ ଓ ମନସ୍ମିତା ମହାନ୍ତିଙ୍କ ଝିଅ। ମାତ୍ର ୨ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସମନ୍ୱିତା ୮୫ଟି ଇଂରାଜୀ ବିପରୀତ ଶବ୍ଦ,ଭାରତର ରାଜ୍ୟର ରାଜଧାନୀ ନାମ,ଭାରତର ୯ଟି ପଡୋଶୀ ଦେଶର ନାମ, ୭ଟି ମହାଦେଶ, ୫ଟି ମହାସାଗର, ୮ଟି ଗ୍ରହ, ଭାରତର ଜାତୀୟ ସଙ୍ଗୀତ, ୨୦ଟି ଜାତୀୟ ସଂକେତ, ଭାରତର ବିଭିନ୍ନ ରାଜ୍ୟର ନୃତ୍ୟର ନାମ ପରି ବହୁତ କିଛି ମନେ ରଖି ଅନର୍ଗଳ କହି ପାରୁଛନ୍ତି। ବଛାଯାଇଥିବା ୧୨୦ଟି ସାଧାରଣ ଜ୍ଞାନ, ମଣିଷ ଶରୀରର ୩୨ଟି ଅଙ୍ଗ ,ରାଜ୍ୟ ରାଜଧାନୀ ନାମ, ଜିଲ୍ଲାର ନାମ ସହ, ୨ମିନିଟ ରୁ କମ ସମୟରେ ୮୫ ଟି ଇଂରାଜୀର ବିପରୀତ ଶବ୍ଦ, ମହାଦେଶ, ମହାସାଗର ଆଦି ପ୍ରଶ୍ନର ସଠିକ ଉତ୍ତର ରଖିଥିବାରୁ ତାଙ୍କୁ ଇଣ୍ଡିଆ ବୁକ ଅଫ ରେକର୍ଡ ପାଇଁ ମନୋନୀତ କରାଯାଇଥିଲା। ପରେ ତାଙ୍କ ଘର ଠିକଣାରେ ଇଣ୍ଡିଆ ବୁକ ଅଫ ରେକର୍ଡର ମାନପତ୍ର, ପରିଚୟ ପତ୍ର ଓ ମେଡାଲ ପ୍ରଦାନ କରାଯାଇଛି। ସମନ୍ୱିତାଙ୍କ ଏହି ସଫଳତା ପରେ ତାଙ୍କୁ ଚାରିଆଡୁ ଛୁଟୁଛି ଶୁଭେଚ୍ଛା ସୁଅ।

SBI_Festive_Digital Billboard