ହୀରାକୁଦ,୨ /୧୧ : ଶିବ ମନ୍ଦିରରେ ଭଗବାନ ମହାଦେବଙ୍କୁ ଦର୍ଶନ କରିବା ପୂର୍ବରୁ ଭକ୍ତମାନେ ପ୍ରଥମେ ବୃଷଭଙ୍କ ସ୍ପର୍ଶ କରିବା ସହିତ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥାନ୍ତି। ଧାର୍ମିକ ମନୋଭାବ ରଖୁଥିବା ବ୍ୟକ୍ତିମାନେ ରାସ୍ତାକଡ଼ରେ ବୁଲୁଥିବା ଷଣ୍ଢମାନଙ୍କୁ ଖାଇବା ଓ ପାଣି ପିଇବାକୁ ମଧ୍ୟ ଦେଇଥାନ୍ତି। ଆଧ୍ୟାତ୍ମିକ ବିଶ୍ବାସ ଅନୁସାରେ ଗାଈ ଏବଂ ଷଣ୍ଢଙ୍କୁ ଖାଦ୍ୟ ଖୁଆଇଲେ ଭଗବାନ ସେହି ବ୍ୟକ୍ତିଙ୍କ ଉପରେ ସନ୍ତୁଷ୍ଟ ହୋଇ ଦୋଷ କ୍ଷୟ କରିଥାନ୍ତି ବୋଲି ମଧ୍ୟ ବିଶ୍ବାସ ରହିଛି। ତେବେ ହୀରାକୁଦ ସହରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଏକ ଦୋକାନରୁ ବୁଲା ଷଣ୍ଢ ବ୍ରେଡ୍ ଖାଇ ଦେବାରୁ ମାଲିକ ଉତ୍ତେଜିତ ହୋଇଛନ୍ତି। ଏକ ଧାରୁଆ ଛୁରୀରେ ଷଣ୍ଢକୁ ଆକ୍ରମଣ କରିଛନ୍ତି, ଯେଉଁଥିରେ ତାର ମୃତ୍ୟୁ ଘଟିଛି। ଅଭିଯୁକ୍ତ ହେଲେ ଶିବ ମହାନ୍ତିଙ୍କ ବୟସ ୫୫ ବର୍ଷ ।
ସୂଚନା ଅନୁସାରେ ହୀରାକୁଦ ଥାନା ଅଧୀନ ସ୍ଥାନୀୟ ଦୈନିକ ବଜାରରେ ଶିବ ମହାନ୍ତି ଏକ ରାସନ ଦୋକାନ ପରିଚାଳନା କରୁଛନ୍ତି। ଏହି ଦୋକାନ ରାସ୍ତାକଡ଼ରେ ରହିଛି। ଅନ୍ୟ ଦିନ ଭଳି ଶିବ ମହାନ୍ତି (୫୫) ଆଜି ଦୋକାନ ଖୋଲିଥିଲେ। ଦୋକାନ ବାହାରେ ମଧ୍ୟ ସେ ବିଭିନ୍ନ ଜିନିଷ ରଖିଥିଲେ। ଅପରାହ୍ଣ ପ୍ରାୟ ୧୨ଟାରେ ରାସ୍ତାକଡ଼ରେ ବୁଲୁଥିବା ଏକ ଷଣ୍ଢ ଆସିଥିଲା ଏବଂ ଦେକାନରୁ ବ୍ରେଡ୍ ନେଇ ଖାଇଥିଲା। ଫଳରେ ଦୋକାନ ମାଲିକ ରାଗି ଯାଇଥିଲେ। ଷଣ୍ଢ ବ୍ରେଡ୍ ନେଇ ଖାଇଦେଲା ପରେ ଦୋକାନୀ ଶିବର ମୁଣ୍ଡକୁ ପିତ୍ତ ଚଢ଼ିଯାଇଥିଲା। ସେ ହିତାହିତ ଜ୍ଞାନ ଭୁଲି ଯାଇଥିଲା। ରାଗରେ ଜର୍ଜରିତ ହୋଇ ଦୋକାନରେ ରଖିଥିବା ଏକ ଧାରୁଆ ଛୁରୀରେ ଷଣ୍ଢକୁ ଆକ୍ରମଣ କରିଥିଲେ। ଆକ୍ରମଣ ଶିକାର ହେଲା ପରେ ଷଣ୍ଢଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେଠାରେ ହିଁ ପଡ଼ି ଯାଇଥିଲା। ରାସ୍ତାରେ ଯାତାୟତ କରୁଥିବା ଲୋକେ ଆହତ ଷଣ୍ଢ ସଂପର୍କରେ ସ୍ଥାନୀୟ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ସୂଚନା ଦେଇଥିଲେ।
ସୂଚନା ଆଧାରରେ ପ୍ରାଣୀ ଚିକିତ୍ସା କେନ୍ଦ୍ରର ଚିକିତ୍ସମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସେଠାରେ ସେମାନେ ଷଣ୍ଢକୁର ଚିକିତ୍ସା ଆରମ୍ଭ କରିଦେଇଥିଲେ। ତେବେ ଚିକିତ୍ସା ପୂର୍ବରୁ ପ୍ରଚୁର ରକ୍ତସ୍ରାବ ହୋଇ ଷଣ୍ଢର ଅବସ୍ଥା ଗୁରୁତର ହୋଇ ସାରିଥିଲା। ତେଣୁ ଘଟଣାର ପ୍ରାୟ ଏକ ଘଣ୍ଟା ମଧ୍ୟରେ ତାର ମୃତ୍ୟୁ ହୋଇଯାଇଥିଲା। ସ୍ଥାନୀୟ ଲୋକଙ୍କ ଏତଲା କ୍ରମେ ପୁଳିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଶିବ ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ହୀରାକୁଦରେ ଘଟିଥିବା ଏହିଭଳି ପ୍ରଥମ ଘଟଣାକୁ ବୁଦ୍ଧିଜୀବୀ, ପ୍ରଶୁପ୍ରେମୀ ଓ ଧର୍ମବିଶ୍ବାସୀ ଲୋକେ ତୀବ୍ର ନିନ୍ଦା କରୁଛନ୍ତି। ଦୋକାନ ମାଲିକଙ୍କର ନାମ ଶିବ ହୋଇଥିଲେ ମଧ୍ୟ ସେ ଷଣ୍ଢ ପ୍ରତି ଦୟା ଦେଖାଇବା ବଦଳରେ ହ୍ରିଂସ ହୋଇ ଉଠିଥିଲେ ବୋଲି ଲୋକେ କହୁଛନ୍ତି।