ବିଷାକ୍ତ ବାୟୁ ବଳୟରେ ଛଟପଟ ହେଲେଣି ଦିଲ୍ଲୀବାସି

ନୂଆଦିଲ୍ଲୀ, ୦୯/୧୧ : ଦିଲ୍ଲୀ ପୁଣିଥ‌ରେ ବିଷାକ୍ତ ବାୟୁ ବଳୟରେ ଛଟପଟ ହେଉଛି। ବାୟୁର ମାନ ଶନିବାର ସାଂଘାତିକ ରୂପ ନେବାପରେ ଅଧିକ କଟକଣା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି । ଦିଲ୍ଲୀ ଆଜି ‘ରେଡ୍‌ ଜୋନ୍‌’ରେ ପ୍ରବେଶ କରି ଦେଶରେ ସର୍ବା‌ଧିକ ପ୍ରଦୂଷିତ ସହର ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛି । ସିପିସିବି (କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ)ର ତଥ୍ୟ ଦର୍ଶାଉଛି ଯେ ଦିଲ୍ଲୀର ୨୪ ଘଣ୍ଟାର ହାରାହାରି ଏକ୍ୟୁଆଇ ଅପରାହ୍ନ ୪ଟାରେ ୩୬୧ ରହିଛି । ଶୁକ୍ରବାର ଦିଲ୍ଲୀର ଏକ୍ୟୁଆଇ ୩୨୨ ଥିଲା ଏବଂ ଏହି ସମୟରେ ଏହା ଦେଶରେ ସର୍ବାଧିକ ଥିଲା । ୱଜିରପୁରରେ ଏକ୍ୟୁଆଇ ୪୨୦ ଥିବାବେଳେ ବୁରାଡ଼ିରେ ୪୧୮, ବିବେକ ବିହାରରେ ୪୧୧, ନେହରୁ ନାର୍‌ରେ ୪୦୬, ଅଲିପୁରରେ ୪୦୪ ଏବଂ ଆଇଟିଓରେ ଏକ୍ୟୁଆଇ ୪୦୨ ରହିଛି। ଏନସିଆର୍‌ରେ ମଧ୍ୟ ବାୟୁର ମାନ ଲଗାତାର ଖରାପ ରହୁଛି। ନଏଡ଼ାରେ ଏକ୍ୟୁଆଇ ୩୫୪, ଗ୍ରେଟର ନଏଡ଼ାରେ ୩୩୬ ଏବଂ ଗାଜିଆବାଦରେ ଏକ୍ୟୁଆଇ ୩୩୯ ରହିଛି। ସୂଚନାଯୋଗ୍ୟ, ଦିଲ୍ଲୀରେ କୃତ୍ରିମ ବର୍ଷା ପାଇଁ ସରକାରଙ୍କ ଯୋଜନା ସଂପୂର୍ଣ୍ଣ ବିଫଳ ହୋଇଛି। ଦିଲ୍ଲୀ ପ୍ରଦୂଷଣ ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛି- ସକାଳ ୮ଟା ସୁଦ୍ଧା ଆଇଟିଓ ୩୭୩ର ଏକ୍ୟୁଆଇ ରିପୋର୍ଟ କରିଛି ଏବଂ ମୁଣ୍ଡକା ୩୬୩ ଏକ୍ୟୁଆଇ ସହ ତା’ ପଛରେ ରହିଛି । ଉଭୟ ‘ଅତ୍ୟନ୍ତ ଖରାପ’ ବର୍ଗରେ ଆସୁଛନ୍ତି । ସିପିସିବି ଅନୁଯାୟୀ, ଦିଲ୍ଲୀର ଅନ୍ୟ ଏକ ହଟସ୍ପଟ୍ ଆନନ୍ଦ ବିହାର ମଧ୍ୟ ୩୫୨ ଏକ୍ୟୁଆଇ ସହିତ ‘ଅତ୍ୟନ୍ତ ଖରାପ’ ବର୍ଗରେ ରହିଛି। ଗାଜିଆବାଦର ବସୁନ୍ଧରା ଅଞ୍ଚଳରେ ୩୫୩ ଏକ୍ୟୁଆଇ ରେକର୍ଡ କରାଯାଇଛି, ଯାହା ଦିନର ସବୁଠାରୁ ପ୍ରଦୂଷିତ ସ୍ଥାନ ମଧ୍ୟରେ ସ୍ଥାନ ପାଇଛି । ଦିଲ୍ଲୀରେ ମୃତ୍ୟୁ ପଛରେ ଥିବା ଅନ୍ୟାନ୍ୟ ପ୍ରମୁଖ ସ୍ୱାସ୍ଥ୍ୟ ବିପଦ କାରଣ ମଧ୍ୟରେ ରହିଛି ଉଚ୍ଚ ରକ୍ତଚାପ – ୧୪,୮୭୪ ମୃତ୍ୟୁ (୧୨.୫%), ମଧୁମେହ – ୧୦,୬୫୩ ମୃତ୍ୟୁ (୯%), ଉଚ୍ଚ କୋଲେଷ୍ଟ୍ରଲ- ୭,୨୬୭ ମୃତ୍ୟୁ (୬%) ଏବଂ ମେଦବହୁଳତା – ୬,୬୯୮ ମୃତ୍ୟୁ (୫.୬%)। କଣିକା ପଦାର୍ଥ ପ୍ରଦୂଷଣ ହେତୁ ଦିଲ୍ଲୀରେ ମୃତ୍ୟୁ କ୍ରମାଗତ ଭାବରେ ଅଧିକ ରହିଛି, କିନ୍ତୁ ତାହା ପ୍ରାୟତଃ ଉଚ୍ଚ ରକ୍ତଚାପ କିମ୍ବା ମଧୁମେହ କାରଣରୁ ହେଉଥିବା ମୃତ୍ୟୁଠାରୁ ଅଧିକ ନ ଥିଲା । ଏବେ କିନ୍ତୁ ପ୍ରଦୂଷଣଜନିତ ମୃତ୍ୟୁସଂଖ୍ୟା ତାହାକୁ ଅତିକ୍ରମ କରିଛି ।