ମଣ୍ଡିରୁ ଉଠୁ ନାହିଁ ଧାନ, ପୁଣି ରାସ୍ତାକୁ ଓହ୍ଲାଇଲେ ଚାଷୀ

କଳାହାଣ୍ଡି,୧୫/୭: ରାଜ୍ୟରେ ମୌସୁମୀ ପ୍ରବେଶକୁ ମାସେ ପୁରୀବାକୁ ବସିଲାଣି । ଚାରି ଆଡ଼େ ଘନ ଘନ ବର୍ଷା ଲାଗି ରହିଛି । କିନ୍ତୁ ଏ ଯାଏଁ କଳାହାଣ୍ଡି ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନାହାଁନ୍ତି । ସରକାର ପ୍ରତିଶ୍ରୁତି ଦେଇ ମଧ୍ୟ ଠିକ୍‌ ସମୟରେ ଧାନ କିଣୁ ନାହାଁନ୍ତି । ଯାହା ଫଳରେ ଚାଷୀମାନେ ଚିନ୍ତିତ ହୋଇପଡ଼ିଛନ୍ତି । ଏ ନେଇ ପୁଣି ଆଜି ଚାଷୀମାନେ ରାସ୍ତା ରୋକ କରିଛନ୍ତି । ଧର୍ମଗଡ଼ ଥାନା ଅନ୍ତର୍ଗତ ଚାରିଛକ ନିକଟରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି ଚାଷୀ ।

ଆନ୍ଦୋଳନରତ ଚାଷୀଙ୍କ ଅଭିଯୋଗ ମୁତାବକ, ଜିଲ୍ଲା ଅଧିକାରୀ ବାରମ୍ବାର ପ୍ରତିଶ୍ରୁତି ଦେଇ ମଧ୍ୟ ଧାନ କିଣୁ ନାହାଁନ୍ତି । ଏହା ସହିତ କଟ୍‌ନୀଛଟନୀ ମଧ୍ୟ କରାଯାଉଛି । ଯାହାର ପ୍ରତିବାଦରେ ଆନ୍ଦୋଳନ କରାଯାଉଛି । ତୁରନ୍ତ ଧାନ କିଣିବାକୁ ଦାବି କରିଛନ୍ତି । ଚାରିଛକରେ ରାସ୍ତାରୋକ କରାଯାଉଛି । ଫଳରେ ରାସ୍ତାର ଚାରି ପାର୍ଶ୍ୱରୁ ଆସୁଥିବା ଗାଡ଼ିଗୁଡ଼ିକ ଅଟକି ରହିଛି । ଧର୍ମଗଡ଼ରୁ ଖଡ଼ିଆଳ, ରାୟପୁର ଓ ଜୁନାଗଡ଼କୁ ଯାତାୟତ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ଚାରି ଦିନ ତଳେ କଳାହାଣ୍ଡି ଜୁନାଗଡ଼ ବ୍ଲକ୍‌ ଝାରକୋଣ୍ଡାମାଳ ଛକରେ ଚାଷୀମାନେ ରାଜ ରାସ୍ତାକୁ ଓହ୍ଲାଇଥିଲେ । ଝାରକୋଣ୍ଡାମାଳ ମଣ୍ଡିରୁ ଧାନ ଉଠୁ ନଥିବା ପ୍ରତିବାଦରେ ରାସ୍ତା ରୋକ କରାଯାଇଥିଲା ।

SBI_Festive_Digital Billboard