ଭୁବନେଶ୍ୱର : ଭାରତ ଏବଂ ଶ୍ରୀଲଙ୍କା ୨୦୨୬ରେ ଟି୨୦ ବିଶ୍ୱକପ୍ କ୍ରିକେଟ ଆୟୋଜନ କରିବେ। ଏହି ବିଶ୍ୱକପର ସେମିଫାଇନାଲ, ଫାଇନାଲ ଏବଂ ଉଦଘାଟନୀ ମ୍ୟାଚ୍ ସମ୍ପର୍କରେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ବିଶ୍ୱକପର ପ୍ରଥମ ଏବଂ ଶେଷ ମ୍ୟାଚ୍, ଅର୍ଥାତ୍ ଫାଇନାଲ୍, ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ୍ ଗୋଟିଏ ସେମିଫାଇନାଲ ଆୟୋଜନ କରିବ। ଟି୨୦ ବିଶ୍ୱକପରେ ୨୦ଟି ଦଳ ଭାଗନେବେ ଓ ଏହା ଫେବୃଆରୀ ୭ ରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଖେଳାଯିବ।
ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ପୂର୍ବରୁ ୨୦୨୩ ଏକଦିବସୀୟ ବିଶ୍ୱକପର ପ୍ରଥମ ଏବଂ ଶେଷ ମ୍ୟାଚ୍ ଆୟୋଜନ କରିଥିଲା। ଯଦି ପାକିସ୍ତାନ କିମ୍ବା ଶ୍ରୀଲଙ୍କା ସେମିଫାଇନାଲକୁ ଉନ୍ନୀତ ହୁଅନ୍ତି, ତେବେ ଗୋଟିଏ ସେମିଫାଇନାଲ ମ୍ୟାଚ କଲମ୍ବୋରେ ଖେଳାଯିବ । ଅନ୍ୟ ସେମିଫାଇନାଲଟି ମୁମ୍ବାଇ ଓ୍ବାଙ୍ଖଡ଼େରେ ଖେଳାଯିବ । କିନ୍ତୁ ଯଦି ଉଭୟ ପାକିସ୍ତାନ ଓ ଶ୍ରୀଲଙ୍କା ସେମିକୁ ଉନ୍ନୀତ ନ ହୁଅନ୍ତି ତେବେ ଦୁଇଟିଯାକ ସେମି ଭାରତରେ ଖେଳାଯିବ । ଏପରିସ୍ଥିତିରେ କୋଲକାତାରେ ଗୋଟିଏ ସେମିଫାଇନାଲ ଖେଳାଯାଇପାରେ ।

ଭାରତ ଓ ଶ୍ରୀଲଙ୍କା ବିଶ୍ୱକପର ମିଳିତ-ଆୟୋଜନ କରୁଛି, ଏବଂ ଉଭୟ ଦେଶର ମୋଟ ସାତଟି ସ୍ଥାନରେ ବିଶ୍ୱକପ୍ ମ୍ୟାଚ୍ ଆୟୋଜନ କରାଯିବ। ଭାରତରେ ମ୍ୟାଚ୍ ଚେନ୍ନାଇ, ଦିଲ୍ଲୀ, ମୁମ୍ବାଇ, ଅହମ୍ମଦାବାଦ ଏବଂ କୋଲକାତାରେ ଖେଳାଯାଇପାରିବ। ଶ୍ରୀଲଙ୍କାରେ ମ୍ୟାଚ୍ ପାଇଁ ତିନୋଟି ସ୍ଥାନ ଚୟନ କରାଯାଇପାରେ। ରିପୋର୍ଟ ଅନୁଯାୟୀ, ପ୍ରେମଦାସା ଷ୍ଟାଡିୟମ, ପାଲେକେଲ, ଡାମ୍ବୁଲା ଏବଂ ହାମ୍ବନଟୋଟା ମଧ୍ୟରୁ ଗୋଟିଏ ଗ୍ରାଉଣ୍ଡ ଚୟନ କରାଯାଇପାରେ।