ଆଜି ନୂଆପଡ଼ା ଉପନିର୍ବାଚନର ଭୋଟ ଗଣତି, ୨୬ ରାଉଣ୍ଡରେ ହେବ ଗଣତି

ଭୁବନେଶ୍ୱର, ୧୪/୧୧  : ଆଜି ନୂଆପଡ଼ା ଉପନିର୍ବାଚନର ଭୋଟ ଗଣତି ।  ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।  ମୋଟ ୩୫୮ଟି ବୁଥ ପାଇଁ ୧୪ ଟି ଟେବୁଲରେ ୨୬ରାଉଣ୍ଡରେ ଭୋଟ ଗଣତି ହେବ ।  ପ୍ରତି ଟେବୁଲରେ ଜଣେ ଲେଖାଏଁ କାଉଣ୍ଟିଂ ଆସିଷ୍ଟାଣ୍ଟ,କାଉଣ୍ଟିଂ ସୁପର ଭାଇଜର ଓ ମାଇକ୍ରୋ ଅବଜରଭର ନିୟୋଜିତ ହେବେ ।   ପ୍ରଥମେ ସକାଳ ୮ଟାରେ ପୋଷ୍ଟାଲ ବାଲଟ ଗଣତି ହେବ ।  ଏହାପରେ ଇଭିଏମ ଭୋଟ ଗଣତି ଆରମ୍ଭ ହେବ ।  ସେହିଭଳି ଇଭିଏମ୍ ରଖାଯାଇଥିବା ଷ୍ଟ୍ରଙ୍ଗ ରୁମରେ ୨୪ ଘଣ୍ଟିଆ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜିଲ୍ଲାପାଳ ମଧୁସୂଦନ ଦାସ ସୂଚନା ଦେଇଛନ୍ତି । ୪୧ ବୁଥରେ ୯୧% ଭୋଟିଂକୁ ନେଇ ସନ୍ଦେହ କରିଛି ବିଜେଡି । ନୂଆପଡା ଉପନିର୍ବାଚନ ଅବାଧ ଓ ନିରପେକ୍ଷ ହୋଇନି ବୋଲି କହିଛି ଦଳ । ଏହା ସହ ଗାଁ ଗାଁରେ ସାଇଲେନ୍ସ ପିରିଅଡରେ ପୁଳାପୁଳା ଟଙ୍କା ବଣ୍ଟା ଯାଇଥିବା ଅଭିଯୋଗ କରିଛି ବିଜେଡି । ସେହି ସମାନ କଥା ଦୋହରାଇଛି କଂଗ୍ରେସ । କହିଛନ୍ତି ନୂଆପଡା ଉପନିର୍ବାଚନ ରେ ଭୋଟିଙ୍ଗ ଟିମ୍ପାରିଙ୍ଗ ହୋଇଛି । ୪୦ ଉର୍ଦ୍ଧ ବୁଥରେ ୯୦ ପ୍ରତିଶତରୁ ଅଧିକ ଭୋଟିଂ ହୋଇଛି । ଯାହା ଦ୍ୱନ୍ଦ୍ୱ ବଢ଼ାଉଛି ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ଅନ୍ୟପଟେ ବିରୋଧୀଙ୍କ ଅଭିଯୋଗକୁ ବିଜେପି ଖଣ୍ଡନ କରିଛି । ଏହା ସହ ୫୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିବୁ ବୋଲି କହିଛି ବିଜେପି ।