ନୂଆଦିଲ୍ଲୀ, ୧୫/୧୧ : ଚଳିତ ନିର୍ବାଚନରେ ସମସ୍ତଙ୍କ ନଜର ବିହାରର ଆଲିନଗର ବିଧାନସଭା ନିର୍ବାଚନମଣ୍ଡଳୀ ଉପରେ ଥିଲା। ଗୋଟିଏ ପଟେ ଆରଜେଡିର ଅଭିଜ୍ଞ ନେତା ବିନୋଦ ମିଶ୍ର ଏବଂ ଅନ୍ୟ ପଟେ ପ୍ରଥମଥର ନିର୍ବାଚନ ଲଢୁଥିବା ଗାୟିକା ମୈଥିଲୀ ଠାକୁର ଥିଲେ। ମୈଥିଲୀ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିନୋଦଙ୍କୁ ୧୩୨୮୨ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ଏହି ବିଜୟ ସହ ମୈଥିଲୀ ବିହାରର ସର୍ବକନିଷ୍ଠ ବିଧାୟକ ହୋଇଛନ୍ତି। ଏବେ ତାଙ୍କୁ ମାତ୍ର ୨୫ ବର୍ଷ। ଫଳାଫଳ ଘୋଷଣା ହେବା ମାତ୍ରେ ବିଜୟୀ ଶିବିରର ସମର୍ଥକମାନେ ଉତ୍ସବ ପାଳନ କରିବା ଆରମ୍ଭ କରିଦେଇଛନ୍ତି।ବିଜୟୀ ପରେ ମୈଥିଲୀ ଠାକୁର କହିଛନ୍ତି, ମୁଁ ବହୁତ ଭଲ ଅନୁଭବ କରୁଛି। ପ୍ରଥମ ଦିନରୁ ମୋର କୌଣସି ସନ୍ଦେହ ନ ଥିଲା। ଏହା ଏକ ଭିନ୍ନ ଯାତ୍ରା ଥିଲା, ଯାହା ମୁଁ କେବେ ଭାବି ନଥିଲି ଯେ ମୁଁ ମୋ ଜୀବନରେ ଏତେ ଶୀଘ୍ର ସାମ୍ନା କରିବି। କିନ୍ତୁ ମୁଁ ଏହାକୁ ଦେଖିଛି, ଅନୁଭବ କରିଛି ଏବଂ ଏବେ ମୁଁ ଆଗାମୀ ପାଞ୍ଚ ବର୍ଷ ପାଇଁ ପ୍ରସ୍ତୁତ। ଲୋକମାନେ ମୋତେ ନିଜ ଝିଅ ପରି ଗ୍ରହଣ କରିଛନ୍ତି, ମୁଁ କେବେ ଜଣେ ନେତା ଭାବରେ ଜନସାଧାରଣଙ୍କ ମଧ୍ୟରେ ଯାଇନାହିଁ। ଏହି ଜିନିଷଗୁଡ଼ିକ ମୋତେ ଭବିଷ୍ୟତରେ ବହୁତ ସାହାଯ୍ୟ କରିବ। ଗୋଟିଏ ମାସ ମଧ୍ୟରେ, ମୁଁ ଅନେକ କଥା ଶୁଣିଛି, ଯେପରିକି ରାଜନୀତିରେ ପ୍ରବେଶ କାହିଁକି କଲ। ତୁମେ ବହୁତ ଛୋଟ। ଆଗାମୀ ସମୟରେ, ମୁଁ ନିଜକୁ ପ୍ରମାଣ କରିବି। ଏହା ମୋ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ।