ଭୁବନେଶ୍ୱର, ୧୫/୧୧ : କଟକ ମହନଗର ନିଗମର କଦମ-ଏ-ରସୁଲ ଗଳିରେ ଥିବା ବ୍ରାହ୍ମଣ ସାହିରେ ବ୍ୟାପୁଛି ଜଣ୍ଡିସ । ଯାହାକୁ ନେଇ ଭୟଭୀତ ଅଞ୍ଚଳବାସୀ । ୨୦ ରୁ ଅଧିକ ଲୋକ ଜଣ୍ଡିସରେ ଆକ୍ରାନ୍ତ ହେଲେଣି । ଦୂଷିତ ପାଣି, ଡ୍ରେନ୍ ସଫାରେ ଅବହେଳା ଯୋଗୁଁ ଜଣ୍ଡିସ ବ୍ୟାପୁଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା । ଏକମାସ ପୂର୍ବରୁ ଜଣ୍ଡିସର ଲକ୍ଷଣ ଦେଖା ଗଲାଣି । କିନ୍ତୁ ଏବେ ସିଏମସିର ଚେତା ପଶିଲା । ଆଜି ସକାଳୁ ସକାଳୁ ସିଏମସି ପକ୍ଷରୁ ଡ୍ରେନ ସଫେଇ ଆରମ୍ଭ ହୋଇଛି । ନର୍ଦ୍ଦମା ଭିତରେ ଯାଇଥିବା ପାଣି ପାଇପ ଗୁଡିକୁ କାଟି ବାହାର କରାଯାଇଛି । ଏହାସହ ସିଏମସି ସ୍ୱାସ୍ଥ୍ୟ ବିଭାଗ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛି । କୌଣସି ଲକ୍ଷଣ ଦେଖା ଦେଲେ ଗୁଣିଗାରେଡ଼ି ନକରି ଡ଼ାକ୍ତରଙ୍କ ପରାମର୍ଶ ନେବାକୁ ନିବେଦନ କରିଛନ୍ତି କଟକ ମେୟର ।