ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଜୟ ଢୋଲକିଆଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର,୧୫/୧୧ : ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନୂଆପଡ଼ା ବିଧାନସଭାର ଉପନିର୍ବାଚନରେ ବିଜୟୀ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଜୟଙ୍କ ମାଆ କଳ୍ପନା ଢୋଲକିଆ ପ୍ରମୁଖ ଉପସ୍ଥିତ ଥିଲେ ।

ଏଥିରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ନୂଆପଡ଼ାରେ ନୂଆ ଇତିହାସ ସୃଷ୍ଟି ହୋଇଛି। ନୂଆପଡ଼ାବାସୀ ବିଜେପି ଉପରେ ଭରସା କରିଛନ୍ତି। ସେମାନେ ବିଜେପି ଉପରେ ବିଶ୍ବାସ ରଖିଛନ୍ତି। ନୂଆପଡ଼ାରେ ଏଥର ବିକାଶ ହେବ। ଆମ ସରକାର ୧୧୦୧ କୋଟି ଟଙ୍କାର ପ୍ରକଳ୍ପ ଲାଗି ଘୋଷଣା କରିଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ବରେ ବିଜେପିର କାର୍ଯ୍ୟକର୍ତ୍ତାମାନେ ଅକ୍ଳାନ୍ତ ପରିଶ୍ରମ କରି ବିଜେପିକୁ ବିପୁଳ ବିଜୟ ଆଣିଥିବାରୁ ସେମାନେଙ୍କ ପାଖରେ କୃତଜ୍ଞ। ମୁଁ ଆଶାବାଦୀ ଜୟ ଢୋଲକିଆଙ୍କ ନେତୃତ୍ବରେ ନୂଆପଡ଼ା ରାଜ୍ୟର ଏକ ନମ୍ବର ଜିଲ୍ଲା ହେବ। ଜୟ ଢୋଲକିଆ ବିକାଶର ସାରଥୀ ହେବେ।

ନୂଆପଡ଼ାର ନୂଆ ନେତା ଭାବେ ବାଜି ମାରିଛନ୍ତି ଜୟ ଢୋଲକିଆ। ବିଜେଡି ଗଡ଼କୁ ଧ୍ବସ୍ତ କରି ଉପନିର୍ବାଚନରେ ଜୟଙ୍କ ବଡ଼ ବିଜୟ ହୋଇଛି। ୧୧ ବର୍ଷ ପରେ ନୂଆପଡ଼ାରେ ପୁଣି ଥରେ ପଦ୍ମ ଫୁଟିଛି। ବିଜେପି ପ୍ରାର୍ଥୀ ଜୟ ତାଙ୍କ ନିକଟତମ ପ୍ରାର୍ଥୀ କଂଗ୍ରେସର ଘାସିରାମ ମାଝୀଙ୍କୁ ୮୩ ହଜାର ୭୪୮ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଆଜି ଭୋଟଗଣତି ବେଳେ ପ୍ରଥମ ରାଉଣ୍ଡରୁ ହିଁ ବିଜେପି ପ୍ରାର୍ଥୀ ଆଗୁଆ ରହିଥିଲେ। ଶେଷ ପର୍ଯ୍ୟନ୍ତ ପ୍ରତିଟି ରାଉଣ୍ଡ୍‌ରେ ଭୋଟ ବ୍ୟବଧାନ ବଢ଼ିବଢ଼ି ଚାଲିଥିଲା। ପ୍ରଥମ ରାଉଣ୍ଡରୁ ଦଳୀୟ କର୍ମୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଉଲ୍ଲାସ ମଧ୍ୟାହ୍ନ ବେଳକୁ ବିଜୟ ଉତ୍ସବରେ ପରିବର୍ତ୍ତିତ ହୋଇ ସାରିଥିଲା। ନୂଆପଡ଼ା ବିଜେପି କାର୍ଯ୍ୟାଳୟ ଓ ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ଜୟଙ୍କ ବିଜୟ ଆନନ୍ଦରେ ମସଗୁଲ ହୋଇଥିଲେ।