ବିହାର ନିର୍ବାଚନ ପରେ ଭାଙ୍ଗିଲା ଲାଲୁଙ୍କ ପରିବାର, ଘର ଛାଡ଼ିଲେ ୩ ଝିଅ

ନୂଆଦିଲ୍ଲୀ, ୧୭/୧୧ : ବିହାର ନର୍ବାଚନ ଖରାପ ଫଳାଫଳ ଆସିବା ପରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ଭାଙ୍ଗିବାରେ ଲାଗିଛି। ଝିଅ ରୋହିଣୀ ଦଳ ଛାଡ଼ିବା ସହ ପରିବାର ସହ ସମ୍ପର୍କ ଛିନ୍ନ କରିଥିବା ଘୋଷଣା କରିବା ପରେ ଯାଦବ ପରିବାରରେ ବଡ଼ ଫାଟ ସୃଷ୍ଟି ହୋଇଛି। ରୋହିଣୀ ସମ୍ପର୍କ ଛିନ୍ନ କରିବାର ଗୋଟିଏ ଦିନ ପରେ ରବିବାର ଲାଲୁଙ୍କର ଅନ୍ୟ ୩ ଝିଅ ପାଟନା ସ୍ଥିତ ପାରିବାରିକ ଘର ଛାଡ଼ି ଦେଇଛନ୍ତି। ଲାଲୁଙ୍କ ୩ ଝିଅ ରାଜଲକ୍ଷ୍ମୀ, ରାଗିଣୀ ଓ ଚନ୍ଦା ସେମାନଙ୍କ ପିଲା ଛୁଆ ଧରି ପରିବାରର ପାଟନା ସ୍ଥିତ ଘରୁ ବାହାରି ଦିଲ୍ଲୀ ଚାଲିଯାଇଛନ୍ତି। ଏଥିରେ ଯାଦବଙ୍କ ପରିବାରରେ ବଡ଼ ଫାଟ ସୃଷ୍ଟି ହୋଇଥିବା ସଂକେତ ମିଳିଛି। ବିହାର ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ଆରଜେଡିର ମହାଗଠନବନ୍ଧନକୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଆରଜେଡି ଗତ ୨୦୨୦ ନିର୍ବାଚନର ପାଇଥିବା ୭୫ ଆସନରୁ ୨୦୨୫ରେ ଏହା ମାତ୍ର ୨୫କୁ ଖସି ଆସିଥିଲା। ଅର୍ଥାତ୍ ୫୦ଟି ଆସନ ହରାଇଥିଲା ଲାଲୁଙ୍କ ଦଳ। ଦିନେ ବିହାରରେ ଏକଛତ୍ରବାଦୀ ଭାବେ ପ୍ରଭାବ ବିସ୍ତାର କରୁଥିବା ଆରଜେଡି ୨୦୨୫ ନିର୍ବାଚନରେ ଅମାନତ ହରାଇଛି। ତେଣୁ ଏହାକୁ ନେଇ ଦଳ ଭିତରେ ହଲଚଲ ଜାରି ରହିଥିବା ବେଳେ ଯାଦବ ପରିବାର ଧୀରେ ଧୀରେ ଭାଙ୍ଗିବାରେ ଲାଗିଛି। ଭାବପ୍ରବଣ ହୋଇ ରୋହିଣୀ ଲେଖିଥିବା ପୋଷ୍ଟର ସେ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଘୃଣ୍ୟ ଦୁର୍ବ୍ୟବହାର କରାଯାଇଥିଲା ଏବଂ ତେଜସ୍ୱୀ ଯାଦବଙ୍କ ଦୁଇଜଣ ନିକଟତମ ସହଯୋଗୀ, ଆରଜେଡିର ରାଜ୍ୟସଭା ସାଂସଦ ସଞ୍ଜୟ ଯାଦବ ଏବଂ ଦୀର୍ଘକାଳୀନ ସହଯୋଗୀ ରମୀଜଙ୍କ ମଧ୍ୟରେ ହୋଇଥିବା ବିବାଦ ସମୟରେ କେହି ଜଣେ ତାଙ୍କୁ ଚପଲରେ ମାରିବାକୁ ଚେଷ୍ଟା କରିଥିଲେ। ଏବଂ ବାପା ଲାଲୁଙ୍କୁ ଦେଇଥିବା କିଡନୀ ବଦଳରେ ସେ କୋଟି କୋଟି ଟଙ୍କା ନେଇଛନ୍ତି ବୋଲି ତାଙ୍କ ଉପରେ ଅଭିଯୋଗ ଲାଗିଛି। ଯାହାକୁ ଘୋର ଅପମାନ ବୋଲି ରୋହିଣୀ କହିଛନ୍ତି। ତେବେ ସଞ୍ଜୟ ଓ ରମୀଜ କହିବାରୁ ସେ ଦଳ ଛାଡୁଛନ୍ତି ଓ ପରିବାର ସହ ସମ୍ପର୍କ ଛିନ୍ନ କରୁଛନ୍ତି ବୋଲି ରୋହିଣୀ ଏକ୍ସରେ ପୋଷ୍ଟ କରିଥିଲେ। ତେବେ ସମସ୍ତଙ୍କ ନଜର ତେଜସ୍ୱୀ ଯାଦବଙ୍କ ଉପରେ ରହିଛି। ସେପଟେ ଭଉଣୀମାନଙ୍କର ଏପରି ଘରୁ ପଳାୟନ ପରେ ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ମୋ ଉପରେ ଯେତେ ଆଟାକ ହେଲା ଚଳିବ ହେଲେ ଭଉଣୀମାନଙ୍କ ଉପରେ ଏଭଳି ଆକ୍ରମଣ ସହି ହେଉ ନାହିଁ। ସେ ଚେତାବନୀ ଦେଇ କହିଛନ୍ତି ଯେ ଅନ୍ୟାୟର ପରିଣାମ କଠୋର ହେବ। ବାପା ମୋତେ ଖାଲି ଗୋଟିଏ ଅନୁମତି ଦେଲେ ଆମ ପରିବାରରେ ଥିବା ଏହି ଜୟଚନ୍ଦମାନଙ୍କର ଅବସ୍ଥା ବିହାର ଲୋକ ଖରାପ କରିଦେବେ ବୋଲି ତେଜପ୍ରତାପ କହିଛନ୍ତି। ସେ ଆହୁରି କହିଛନ୍ତି ଯେ କିଛି ଲୋକ ତେଜସ୍ୱୀଙ୍କ ବିଚାରକୁ ଭ୍ରମିତ କରୁଛନ୍ତି। ବର୍ତ୍ତମାନ ଲଢ଼େଇ ଝିଅ ଏବଂ ବିହାର ଆତ୍ମସ୍ୱାଭିମାନର।