ପରଲୋକରେ ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ୍‌‌ ସାଗର

ଭୁବନେଶ୍ୱର ,୧୭/୧୧ : ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ଗାୟକ ତଥା ତାରକା କଣ୍ଠଶିଳ୍ପୀ ହ୍ୟୁମାନ୍‌‌ ସାଗରଙ୍କ ଭୁବନେଶ୍ୱରସ୍ଥିତ ଏମ୍‌‌ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ଛତିଶ ବର୍ଷୀୟ ହ୍ୟୁମାନ୍‌‌ ବୃକକ୍‌‌, ଶ୍ୱାସକ୍ରିୟା ଓ ଜକୃତ ଜନିତ ସମସ୍ୟା ସାଙ୍ଗକୁ ନିମୋନିଆରେ ପୀଡ଼ିତ ଥିଲେ। ତାଙ୍କ ପରଲୋକ ଖବର ପ୍ରସାରିତ ହେବା ପରେ ରାଜନେତାଙ୍କଠାରୁ ଆରମ୍ଭ କରି ଅଭିନେତା, ବନ୍ଧୁ, ଶୁଭେଚ୍ଛୁ ଏବଂ ସଂଗୀଜଗତ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କ ଏମ୍‌‌ସ ହାସପାତାଳକୁ ସୁଅ ଛୁଟିଥିଲା। ବଲାଙ୍ଗିରର ଭିଟାମାଟି ଟିଟିଲାଗଡ଼ରେ ଜନ୍ମିତ ହ୍ୟୁମାନ୍‌‌ ଖୁବ୍‌‌ କମ୍‌‌ ବର୍ଷ ବୟସରେ ଢେର୍‌‌ ଲୋକପ୍ରିୟତା ସାଉଁଟିଥିଲେ। ସେ କିଛିବର୍ଷ ହେଲା କଟକ ମର୍କତନଗର ୯ନମ୍ବର ସେକ୍ଟରରେ ଭଡ଼ାଘର ନେଇ ରହୁଥିଲେ। ତାଙ୍କ ଶାରୀରିକ ସମସ୍ୟା ପାଇଁ ଏକ ଘରୋଇ ଡାକ୍ତରଖାନାରେ କିଛିଦିନ ରହିବା ପରେ ଅବସ୍ଥା ଅତି ଗୁରୁତର ହେବାରୁ ଏମ୍‌‌ସକୁ ସ୍ଥାନାନ୍ତର ହୋଇଥିଲେ ଏବଂ ଏକାଧିକ ଜଟିଳ ସ୍ଥିତିକୁ ନେଇ ଡାକ୍ତରଙ୍କ ଅକ୍ଳାନ୍ତ ଉଦ୍ୟମ ସତ୍ତ୍ବେ ତାଙ୍କ ଆରୋଗ୍ୟ ସମ୍ଭବ ହୋଇପାରି ନ ଥିଲା।

ପ୍ରାୟ ଦଶନ୍ଧି ଧରି ଶେଷ ପର୍ଯ୍ୟନ୍ତ ସେ ଥିଲେ ଓଡ଼ିଆ ସଙ୍ଗୀତଜଗତର ଶୀର୍ଷସ୍ଥାନର ତାରକାକଣ୍ଠଶିଳ୍ପୀ। ୨୦୧୫ରୁ ୨୦୨୫ ମଧ୍ୟରେ ମାତ୍ର ୧୦ବର୍ଷ ଭିତରେ ସେ ଯେଉଁଭଳି ଜନପ୍ରିୟତା ହାସଲ କରିଥିଲେ, ତାହା କ୍ୱଚିତ ଦେଖାଯାଇଥାଏ। ତରଙ୍ଗ ଟିଭି ଦ୍ୱାରା ୨୦୧୨ରେ ଆୟୋଜିତ ‘ଭଏସ୍‌‌ ଅଫ୍‌‌ ଓଡ଼ିଶା ସିଜନ୍‌‌-୨’ର ବିଜେତା ହୋଇ ସେ ଲୋକଲୋଚନକୁ ଆସିବା ପରେ ୨୦୧୪ରେ ସିନେମା ଜଗତରେ ତାଙ୍କର ପ୍ରବେଶ ଘଟିଥିଲା ଏବଂ ଅନୁଭବ ମହାନ୍ତି ଅଭିନିତ ଓଡ଼ିଆ ସିନେମା ‘ସମ ଥିଙ୍ଗ ସମ ଥିଙ୍ଗ-୨’ ପାଇଁ ଗୀତ ଗାଇ ସେ ଓଡ଼ିଆ ସଙ୍ଗୀତ ଦୁନିଆରେ ତାଙ୍କ ସାମ୍ରାଜ୍ୟ ବିସ୍ତାର କରିଚାଲିଲେ। ସଂଯୋଗବଶତଃ ତାଙ୍କ ଶେଷ ସିନେମା ୨୦୨୫ର ଅନୁଭବ ମହାନ୍ତି ଅଭିନିତ ‘ଚାରିଧାମ’ ଥିଲା। ଅନ୍ୟଏକ ସଂଯୋଗ ହେଲା, ଏହି ନଭେମ୍ବର (୨୫ତାରିଖ ୧୯୯୦) ମାସରେ ହିଁ ହ୍ୟୁମାନ୍‌‌ ଜନ୍ମ ହୋଇଥିଲେ ଏବଂ ୨୫ତାରିଖ ଦିନ ତାହା ପାଳନ ହୋଇଥାଆନ୍ତା। ସମସ୍ତ ପ୍ରକାର ଗୀତ ଗାଇବାର ଦକ୍ଷତା ସେ ରଖୁଥିଲେ; ତାହା ତେଣିକି “ଭିଜେଇ ଦେଇ ଯାଆ ଥରେ ପ୍ରିୟା ତୋ ପ୍ରେମ ବର୍ଷାରେ” ହେଉ ଅଥବା “ଗଜଲ୍‌‌ ଗଜଲ୍‌‌”।

୨୦୧୫ରେ ସିନେମା ଜଗତରେ କ୍ୟାରିୟର ଆରମ୍ଭ କରି ସେ ଦୁଇଟି ହିଟ୍‌‌ ସିନେମା ‘ଇସ୍କ ତୁ ହି ତୁ’ ଓ ‘ଅଗସ୍ତ୍ୟ’ ପାଇଁ ଗୀତ ଗାଇଥିଲେ ଏବଂ ୨୦୨୫ରେ ‘ଚାରି ଧାମ’ରେ ‘କେର୍‌‌କେରା’ ଗୀତ ଗାଇଛନ୍ତି। ଓଡ଼ିଆ ସିନେମା ସହ ବହୁ ମ୍ୟୁଜିକ୍‌‌ ଆଲବମ୍‌‌ରେ ତାଙ୍କ ଗୀତ ଚର୍ଚ୍ଚିତ। ହିନ୍ଦୀ ଆଲବମ୍‌‌ ‘ମେରା ୟେ ଜାହାଁ’ରେ ମଧ୍ୟ ସେ ଗାଇଛନ୍ତି। ନିଃଶ୍ୱାସ, ବେଖୁଦି, ଚେହେରା, ତୁମ ଓଠତଳେ ଆଦି ବହୁ ଓଡ଼ିଆ ଆଲବମ୍‌‌ ତାଙ୍କର ରହିଛି। ସେ ମେଗାଷ୍ଟାର ଅନୁଭବଙ୍କ ଅନେକ ସିନେମାରେ ଗୀତ ଗାଇଛନ୍ତି; ସିନେମା ‘ଗୋଟେ ଶୁଆ ଗୋଟେ ଶାରୀ’, ‘କାବୁଲା ବାରବୁଲା’, ‘ଅଗସ୍ତ୍ୟ’ ଭଳି ଏକାଧିକ ରହିଛି। ସଙ୍ଗୀତରେ ରୁଚି ରଖୁଥିବା ପରିବାରେ ସେ ଜନ୍ମ ହୋଇଥିଲେ; ତାଙ୍କ ବାପା ଓ ମାଆ ଥିଲେ କଣ୍ଠଶିଳ୍ପୀ ଏବଂ ଜେଜେବାପା ଥିଲେ ମ୍ୟୁଜିକ୍‌‌ କମ୍ପୋଜର୍‌‌। ରାଜ୍ୟ ଚଳଚ୍ଚିତ୍ର ଓ ଚଳଚ୍ଚିତ୍ର ଜଗତ ପକ୍ଷରୁ ତାଙ୍କୁ ଏକଧିକବାର ପ୍ରଚ୍ଛଦ ପଟ୍ଟ କଣ୍ଠଶିଳ୍ପୀର ପୁରସ୍କାର ପ୍ରାପ୍ତ ହୋଇଥିଲା ବେଳେ ବହୁ ଅନୁଷ୍ଠାନରୁ ବିଭିନ୍ନ ସମୟରେ ସେ ସମ୍ମାନିତ ମଧ୍ୟ ହୋଇଛନ୍ତି। ତାଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତ ଏକ ଉଦୀୟମାନ ଶିଳ୍ପୀଙ୍କୁ ହରାଇଛି।