ଭୁବନେଶ୍ବର : ରାଜ୍ୟରେ ୧୭ ମାସର ଶାସନ ପରେ ବିଜେପି ବେଶ୍ ସଫଳତାର ସହ ନୂଆପଡ଼ା ବିଧାନସଭା ଉପନିର୍ବାଚନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି। ରାଜ୍ୟରେ ମୋହନ ସରକାରଙ୍କ ଭାବମୂର୍ତ୍ତି ଓ ପାର୍ଟିର ପତିଆରା ବଢ଼ିଛି। ଆଗାମୀ ଫେବୃଆରୀ କିମ୍ବା ମାର୍ଚ୍ଚରେ ୪ଟି ରାଜ୍ୟସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଇଁ କିଛି କମ୍ ଆହ୍ବାନପୂର୍ଣ୍ଣ ହେବ ନାହିଁ। ଯଦିଓ ଦୁଇଟି ଆସନ ବିଜେପି ସହଜରେ ହାସଲ କରିପାରିବ, ତୃତୀୟ ଆସନ ପାଇଁ ରାଜନୈତିକସ୍ତରରେ ଛକାପଞ୍ଝା ହେବ। ତୃତୀୟ ଆସନ ହାସଲ ଦ୍ବାରା ହିଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡ଼ିଶାରେ ନିଜର ଦବଦବା ଜାହିର କରିପାରିବେ। ଯାହା ତାଙ୍କୁ ୨୦୨୯ ପର୍ଯ୍ୟନ୍ତ ରାଜନୈତିକସ୍ତରରେ ଆହ୍ବାନମୁକ୍ତ ରଖିବ। ୨୦୨୬ ଏପ୍ରିଲ ୨ରେ ବିଜେଡି ସାଂସଦ ମୁଜିବୁଲ୍ଲା ଖାନ୍ ଓ ନିରଞ୍ଜନ ବିଶି, ବିଜେପି ସାଂସଦ ସୁଜିତ କୁମାର ଓ ମମତା ମହନ୍ତଙ୍କ କାର୍ଯ୍ୟକାଳ ସରିବ। ଏହି ଚାରି ଖାଲି ଆସନ ପୂରଣ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ୨୦୨୬ ଫେବୃଆରୀ ତୃତୀୟ ସପ୍ତାହରେ ନିର୍ବାଚନ ଲାଗି ବିଜ୍ଞପ୍ତି ଜାରି କରିପାରନ୍ତି।
ନୂଆପଡ଼ା ଉପନିର୍ବାଚନ ଜିତିବା ପରେ ବିଧାନସଭାରେ ବିଜେପିର ସଦସ୍ୟଙ୍କ ସଂଖ୍ୟା ୭୯ରେ ପହଞ୍ଚିଛି ଏବଂ ବିଜେଡି ୫୦କୁ ଖସି ଆସିଛି। ସେହିପରି କଂଗ୍ରେସର ୧୪ ବିଧାୟକ ଥିବାବେଳେ ସିପିଆଇ(ଏମ୍)ର ଜଣେ ବିଧାୟକ ଅଛନ୍ତି। ବିଧାନସଭାରେ ତିନି ଜଣ ସ୍ବାଧୀନ ବିଧାୟକ ବିଜେପିକୁ ସମର୍ଥନ ଦେଉଛନ୍ତି। ଅଙ୍କ ଦୃଷ୍ଟିରୁ ବିଜେପି ଦୁଇଟି ଆସନ ସହଜରେ ହାତେଇ ନେବ। ୪ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେଲେ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ବିଜୟୀ ହେବା ପାଇଁ ଅତି କମରେ ୩୦ ଖଣ୍ଡ ମତ ଆବଶ୍ୟକ। ଦୁଇଟି ଆସନ ପାଇଁ ବିଜେପିର ୬୦ଟି ଭୋଟ ଆବଶ୍ୟକ। ଏହାକୁ ବାଦ୍ ଦେଇ ବିଜେପି ପାଖରେ ଅତିରିକ୍ତ ୧୯ଟି ଭୋଟ ରହିବ। ସ୍ବାଧୀନ ୩ ବିଧାୟକ ମୋହନ ସରକାରଙ୍କୁ ସମର୍ଥନ ଦେଉଥିବାରୁ ବିଜେପି ହାତରେ ୨୨ ଖଣ୍ଡ ଭୋଟ ବଳକା ରହିବ। ଏହା ସତ୍ତ୍ବେ ତୃତୀୟ ରାଜ୍ୟସଭା ଆସନ ପାଇଁ ଶାସକ ବିଜେପିକୁ ଅତିକମରେ ଆଉ ୮ ବିଧାୟକଙ୍କ ସମର୍ଥନ ଆବଶ୍ୟକ, ଯାହା ବିରୋଧୀ ବିଜେଡି ଅଥବା କଂଗ୍ରେସଠାରୁ ସିଧାସଳଖ ପାଇବା ପ୍ରାୟତଃ ଅସମ୍ଭବ।
ଅପରପକ୍ଷେ ନୂଆପଡ଼ା ବିଫଳତା ପରେ ବିଧାନସଭାରେ ୫୦ ସଦସ୍ୟକୁ ଖସି ଆସିଥିବା ବିଜେଡି ସହଜରେ ଗୋଟିଏ ରାଜ୍ୟସଭା ଆସନ ପାଇଯିବ। ଏହା ପରେ ବିଜେଡି ପାଖରେ ଆଉ ୨୦ ସଦସ୍ୟଙ୍କ ଭୋଟ ରହିଛି। ସିପିଆଇ (ଏମ୍)ର ଗୋଟିଏ ଭୋଟ ସହିତ କଂଗ୍ରେସର ୧୪ ବିଧାୟକଙ୍କୁ ମିଶାଇଲେ ୧୫ ବିଧାୟକଙ୍କ ସମର୍ଥନ କଂଗ୍ରେସ ପାଖରେ ରହିଛି। ଆଉ ଗୋଟିଏ ଆସନ ପାଇବାକୁ ବିଜେଡି ୧୦ ବିଧାୟକଙ୍କ ସମର୍ଥନ ଆବଶ୍ୟକ କରୁଥିବା ବେଳେ ଏଠାରେ କଂଗ୍ରେସର ଭୂମିକା ନିର୍ଣ୍ଣାୟକ ହେବ। କଂଗ୍ରେସ ବିଜେଡିକୁ ସମର୍ଥନ କଲେ ଯାଇ ମୁଖ୍ୟ ବିରୋଧୀ ଦଳ ଶାସକ ବିଜେପି ହାତରୁ ଆଉ ଗୋଟିଏ ଆସନକୁ ଛଡ଼ାଇ ଅଣାଯାଇ ପାରିବ। କିନ୍ତୁ କଂଗ୍ରେସ କେତେଦୂର ବିଜେଡିକୁ ସମର୍ଥନ ଦେବ ନା ସମଦୂରତା ରକ୍ଷା କରିବ ତାହା ସମୟ କହିବ। ଯଦି ରାଜ୍ୟସଭା ନିର୍ବାଚନରେ ଅଂଶଗ୍ରହଣ ନକରି କଂଗ୍ରେସ ବିରତ ରୁହେ, ତା ହେଲେ ରାଜ୍ୟସଭାର ଚତୁର୍ଥ ଆସନ ବିଜେପି ଖାତାକୁ ଯିବ। ଗତ ୧୭ ମାସ ଭିତରେ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାନସଭା ଏବଂ ଗୃହ ବାହାରେ ପରସ୍ପରକୁ କଟୁ ସମାଲୋଚନା କରି ଆସୁଛନ୍ତି। ଏପରିକି ଗୃହରେ ସରକାରଙ୍କୁ ଆକ୍ରମଣ କରିବା ସମୟରେ ମଧ୍ୟ ଦୁଇ ବିରୋଧୀ ଦଳ ମଧ୍ୟରେ ଆଦୌ ତାଳମେଳ ରହି ନାହିଁ।
ଜାତୀୟସ୍ତରରେ ସଂସଦରେ ଅନେକ ରାଜନୈତିକ ପ୍ରସଙ୍ଗରେ କଂଗ୍ରେସ ବିରୋଧରେ ବିଜେଡିର ଆଭିମୁଖ୍ୟ ରହିଛି। ରାଜ୍ୟସଭା ନିର୍ବାଚନରେ ଶାସକ ବିଜେପିକୁ କଂଗ୍ରେସ ସମର୍ଥନ କରିବା ଆଶା କ୍ଷୀଣ। ନୂଆପଡ଼ା ଉପନିର୍ବାଚନରେ ସଫଳତା ଓ ପ୍ରଶଂସା ସାଉଁଟି ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ପାଇଁ ରାଜ୍ୟସଭା ନିର୍ବାଚନ ଆଉ ଏକ ପରୀକ୍ଷା ହେବ। ସୁଚିନ୍ତିତ ରଣନୀତି ଦ୍ବାରା ହିଁ ବିଜେପି ଓଡ଼ିଶାରୁ ତିନିଟି ରାଜ୍ୟସଭା ଆସନ ହାସଲ କରିପାରିବ। ନଚେତ ଡବଲ ଇଞ୍ଜିନ ସରକାରଙ୍କୁ ଦୁଇଟି ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିବ।