ନୂଆଦିଲ୍ଲୀ ୨୧/୧୧: ବ୍ରହ୍ମାଣ୍ଡ ସୁନ୍ଦରୀ-୨୦୨୫ରେ ଭାରତକୁ ପ୍ରତିନିଧିତ୍ୱ କରୁଛନ୍ତି ମିସ୍ ୟୁନିଭର୍ସ ଇଣ୍ଡିଆ-୨୦୨୫ ମନିକା ବିଶ୍ୱକର୍ମା । ଆଜି ଆୟୋଜିତ ହେବ ଗ୍ରାଣ୍ଡ୍ ଫିନାଲେ । ଏଥିପାଇଁ ମନିକା ପୂରାପୂରି ପ୍ରସ୍ତୁତ । ଗତ ୧୯ ତାରିଖରେ ଆୟୋଜିତ ନ୍ୟାସନାଲ କଷ୍ଟ୍ୟୁମ୍ ରାଉଣ୍ଡରେ ମଞ୍ଚରେ ମନିକାଙ୍କ ଲୁକ୍ ସାରା ବିଶ୍ୱକୁ ପାଗଳ କରିଥିଲା । ନିଜର ନିଆରା ସୁନେଲି ରଙ୍ଗର ନ୍ୟାସନାଲ କଷ୍ଟ୍ୟୁମରେ ସେ ମଞ୍ଚକୁ ଆସିଥିଲେ, ଯାହା ଭାରତୀୟ ସଂସ୍କୃତି ଓ ଗ୍ଲାମର୍ର ଏକ ଚମତ୍କାର ମିଶ୍ରଣ ଥିଲା । ତାଙ୍କ ବେଶଭୂଷା ସଭିଁଙ୍କ ଧ୍ୟାନ ଆକର୍ଷଣ କଲା । ତାଙ୍କର ରାଜକୀୟ ଅନ୍ଦାଜ୍ ସାଂସ୍କୃତିକ ରୂପେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଥିଲା । ମନିକା ମଞ୍ଚକୁ ଆସିବା ମାତ୍ରେ କାର୍ଯ୍ୟକ୍ରମର ସଂଚାଳକ ଘୋଷଣା କଲେ ‘ଏହି ଲୁକ୍ ସେହି ପବିତ୍ର ମୁହୂର୍ତ୍ତକୁ ସମ୍ମାନ କରେ ଯେଉଁଠି ବୁଦ୍ଧଙ୍କୁ ବୋଧି ବୃକ୍ଷ ତଳେ ଜ୍ଞାନ ପ୍ରାପ୍ତି ହୋଇଥିଲା । ଏକ ଗଭୀର ଆଧ୍ୟାତ୍ମିକ ଘଟଣାକୁ ସମ୍ମାନ ଜଣାଇ ମୁଁ ଭାରତକୁ ପ୍ରତିନିଧିତ୍ୱ କରୁଛି ।’ ମନିକାଙ୍କର ଏହି ପୋଷାକ ଧନ, ଦିବ୍ୟତା, ସମୃଦ୍ଧି ଓ ଶକ୍ତିର ପ୍ରତୀକ ଥିଲା । ଏଥିରେ ନିଖୁଣ ହାତ ତିଆରି କାରୁକାର୍ଯ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲା । ଗାଉନର କପଡ଼ା ଆଲୋକ ରଶ୍ମି ବିଚ୍ଛୁରିତ କରୁଥିଲା, ଯାହା ପୋଷାକର ଭବ୍ୟତାକୁ ଆହୁରି ବଢ଼ାଉଥିଲା । ମନିକା ଇନଷ୍ଟାଗ୍ରାମରେ ନିଜ ଲୁକ୍ ବିଷୟରେ ସୂଚନା ଦେଇ ଲେଖିଛନ୍ତି, ଭାରତରେ ବୌଦ୍ଧଧର୍ମର ପବିତ୍ର ଶୁଭାରମ୍ଭରୁ ପ୍ରେରିତ ଏହି ଚମତ୍କାର ପୋଷାକ ସେହି ମୁହୂର୍ତ୍ତକୁ ଶ୍ରଦ୍ଧାଞ୍ଜଳି ଦିଏ, ଯେଉଁଠି ରାଜକୁମାର ସିଦ୍ଧାର୍ଥଙ୍କୁ ବୋଧଗୟାରେ ବୋଧି ବୃକ୍ଷ ତଳେ ଜ୍ଞାନ ପ୍ରାପ୍ତି ହୋଇଥିଲା । ଏହା ଏଭଳି ଏକ ମୁହୂର୍ତ୍ତ, ଯାହା ସମଗ୍ର ବିଶ୍ୱରେ ଜ୍ଞାନ ଓ ଶାନ୍ତିର ପ୍ରସାର କରିଥିଲା ।’ ଏହା ପରେ ଇଭନିଙ୍ଗ୍ ଗାଉନ୍ ରାଉଣ୍ଡରେ ମନିକା ରେଡ୍ ଷ୍ଟୋନ୍ ଓ ସ୍ଫଟିକ ଖଚିତ ଗାଢ୍ ଲାଲ୍ ରଙ୍ଗର ଗାଉନ୍ ପିନ୍ଧିଥିଲେ ।