୨୦୨୫ର ବ୍ରହ୍ମାଣ୍ଡ ସୁନ୍ଦରୀ ହେଲେ ଫାତିମା ୱସ

ନୂଆଦିଲ୍ଲୀ, ୨୧/୧୧ : ଥାଇଲ୍ୟାଣ୍ଡରେ ଆୟୋଜିତ ବ୍ରହ୍ମାଣ୍ଡ ସୁନ୍ଦରୀ -୨୦୨୫ ପ୍ରତିଯୋଗିତା ଶେଷ ହୋଇଛି । ମେକ୍ସିକୋର ଫାତିମା ୱସଙ୍କ ମଥାରେ ସାଜିଛି ମିସ୍ ୟୁନିଭର୍ସ ୨୦୨୫ର ମୁକୁଟ । ୨୦୨୪ର ବ୍ରହ୍ମାଣ୍ଡ ସୁନ୍ଦରୀ ମିସ୍ ଡେନମାର୍କ ଭିକ୍ଟୋରିଆ କେଜର ଥେଲୱିଗ୍ ତାଙ୍କୁ ମୁକୁଟ ପିନ୍ଧାଇଥିଲେ । ମିସ୍ ଥାଇଲ୍ୟାଣ୍ଡ ହୋଇଥିଲେ ରନର୍ସଅପ୍ ।ଆରମ୍ଭରୁ ବିବାଦରେ ଘେରି ହୋଇଥିବା ୨୦୨୫ ମିସ୍ ୟୁନିଭର୍ସ ପ୍ରତିଯୋଗିତା ଜବରଦସ୍ତ ଢଙ୍ଗରେ ଶେଷ ହୋଇଛି । ଏହି ବିଶ୍ବ ମଞ୍ଚରେ ଯେତେବେଳେ ଫାତିମାଙ୍କ ନାଁ ଘୋଷଣା କରାଯାଇଥିଲା । ଏହା ପୂରା ମେକ୍ସିକୋବାସୀଙ୍କ ପାଇଁ ଖୁସିର ସମୟ ଥିଲା । ଆଉ ଯେତେବେଳ ତାଙ୍କ ମଥାରେ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧାଯାଇଥିଲା ସେ ଖୁସରେ ଥରୁଥିଲେ। ତେବେ ତାଙ୍କୁ ପଚରାଯାଇଥିବା ଶେଷ ପ୍ରଶ୍ନର ଉତ୍ତର ସେ ଏଭଳିଭାବେ ଦେଇଥିଲେ ଯାହା ତାଙ୍କୁ ବିଜୟୀ କରିଦେଇଥିଲା । ସେ ସମୟରେ ଫାତିମା ଥିଲେ ସାରା ଦୁନିଆର ମହିଳାଙ୍କ ସ୍ବର , ପରିବର୍ତ୍ତନର ସ୍ବର । ’ଜଣେ ମହିଳା ଏବଂ ମିସ୍ ୟୁନିଭର୍ସ ହେବା ଆଧାରରେ ମୁଁ ମୋ ସ୍ବର ଆଉ କ୍ଷମତାକୁ ଅନ୍ୟମାନଙ୍କ ସେବାରେ ଲଗାଇବି । କାରଣ ଆଜିକାଲି ଆମେ ଏଠାରେ ମତ ପ୍ରକାଶ କରିବା, ପରିବର୍ତ୍ତନ ଆଣିବା ଏବଂ ସବୁ ସତକୁ ଦେଖିବାକୁ ପାଇଁ ଏକାଠି ହୋଇଛେ । କାରଣ ଏଠି ଛିଡ଼ା ହୋଇଥିବା ମହିଳାଙ୍କ ଭିତରୁ ଯିଏ ପ୍ରକୃତ ସାହସୀ ହୋଇଥିବେ ସେ ଆଗକୁ ଆସିବେ ଏବଂ ଇତିହାସ ରଚିବେ । ଏବେବି ମହିଳାଙ୍କୁ ସମାଜରେ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ୁଛି । କିନ୍ତୁ ,ଏବେକାର ପିଢ଼ି ଆଉ କହିବାକୁ ଡରୁନି । ମହିଳାଙ୍କ ପାଖରେ ଏବେ ପରିବର୍ତ୍ତନ ପାଇଁ ଦାବି କରିବା ସହ ନେତୃତ୍ବ ନେବା, ସମାଜକୁ ଏକ ନୂଆ ରୂପ ଦେବାର ସାମର୍ଥ୍ୟ ଅଛି , ଯାହା ଅଗରୁ ନଥିଲା । ନଡରି ସାହାସ କଲେ ପରିବର୍ତ୍ତନ ଆସିବ’ । ୨୦୨୧ରେ ଭାରତ ଶେଷ ମୁକୁଟ ପାଇଥିଲା । ସେବେଠୁ ପୁଣି ଏକ ମୁକୁଟ ଅପେକ୍ଷାରେ । ତେବେ ଅନେକ ବିବାଦ ପରେ ମିସ୍ ୟୁନିଭର୍ସ -୨୦୨୫ ଶେଷ ହୋଇଛି । ମନିକା ଏଥିରୁ ବାଦ ପଡ଼ିବା ପରେ ଭାରତୀୟଙ୍କ ମନ ମଉଳିଯାଇଛି ହେଲେ ମେକ୍ସିକୋବାସୀଙ୍କ ମନ ଖୁବ୍ ଖୁସି ।