କଂଗ୍ରେସରେ ତେଜିଲା ବିଭୀଷଣ ମନ୍ତବ୍ୟ କଳି, ମୁହଁ ଖୋଲିଲେ ଭକ୍ତ

ଭୁବନେଶ୍ୱର, ୨୩/୧୧ : କଂଗ୍ରେସରେ ବିଭୀଷଣ ମନ୍ତବ୍ୟକୁ ନେଇ ବିବାଦ ତେଜିବା ପରେ ସଫେଇ ରଖିଛନ୍ତି ପିସିସି ସଭାପତି ଭକ୍ତ ଦାସ । ଗଣମାଧ୍ୟମରେ ଯାହା ଚର୍ଚ୍ଚା ହେଉଛି ତାହା ସମ୍ପୂର୍ଣ୍ଣ ଠିକ୍ ନୁହେଁ । ମୁଁ ଯାହା କୁହେ ଖୋଲା ଖୋଲି କୁହେ ଲୁଚିକି କୁହେ ନାହିଁ । ସବୁ କଂଗ୍ରେସ ନେତାଙ୍କୁ ଅପିଲ୍ ବାଦ ବିବାଦରୁ ବାହାରି କଂଗ୍ରେସ ଦଳକୁ ଏକାଠି କରିବାର ସମୟ ଆସିଛି । ଯଦି ମୁଁ ଶୃଙ୍ଖଳା ଭଙ୍ଗ କରିଛି ବୋଲି କିଛି ନେତା କହୁଛନ୍ତି ତାହେଲେ ମୁଁ ନିଜର ସମୀକ୍ଷା କରିବି । ଯଦି କାହାର ଅସୁବିଧା ଅଛି ମୋ ସହ ଆସି ସିଧା ଆଲୋଚନା କରନ୍ତୁ । ହେଲେ ପିସିସି ସଭାପତି କାହା ଗୁଲାମ ହୋଇ କାହା ପକେଟରେ ରହି ପାରିବିନି କାହା ଇଙ୍ଗିତରେ କାମ କରିପାରିବେନି ।

ସୁରେଶ ରାଉତରାୟ କହିଛନ୍ତି, କଂଗ୍ରେସରେ ବିଭୀଷଣ, ରାବଣ ଅଛନ୍ତି । ସୁଗ୍ରୀବର ବି ଆବଶ୍ୟକ ଅଛି । କଂଗ୍ରେସରେ ସବୁ ପ୍ରକାରର ଲୋକ ଅଛନ୍ତି । ଦଳର ଖୁବଶୀଘ୍ର ଏକ ବନ୍ଧୁ ମିଳନ ହେବ । ସମସ୍ତଙ୍କୁ ଏକାଠି କରିବା ପାଇଁ ଡାକିଲେ ସୁରେଶ ରାଉତରାୟ । ଦଳରେ ବିବାଦ ସୃଷ୍ଟି କରୁଥିବା ନେତାଙ୍କ ଉପରେ ବର୍ଷିଲେ ସୁର ରାଉତରାୟ । କହିଲେ, କଂଗ୍ରେସରେ ଏକତାର ଆବଶ୍ୟକତା ରହିଛି, ବିବାଦର ନୁହେଁ ।

ପିସିସି ସଭାପତି ଭକ୍ତ ଦାସଙ୍କୁ ମହଙ୍ଗା ପଡ଼ିଛି ‘ବିଭୀଷଣ’ ପ୍ରସଙ୍ଗ । ନୂଆପଡ଼ା ଉପନିର୍ବାଚନରେ ପରାଜୟ ପରେ ଭକ୍ତ ବିଭୀଷଣ କଥା କହିବା ପରେ ପ୍ରଥମେ ବରିଷ୍ଠ ଆଉ ଏବେ ଯୁବ ନେତା ବିଷ ଉଗାରିଛନ୍ତି । କଂଗ୍ରେସରେ ଯଦି ବିଭୀଷଣ ଅଛନ୍ତି, ତେବେ ରାବଣ କିଏ ବୋଲି ପ୍ରଶ୍ନ କରିଛନ୍ତି । ପିସିସି ସଭାପତି ଭକ୍ତ ଦାସଙ୍କ ଏହି ‘ବିଭୀଷଣ’ ଉପାଖ୍ୟାନକୁ ନେଇ ଏବେ କଂଗ୍ରେସରେ ଝଡ଼ । ନୂଆପଡ଼ା ଉପନିର୍ବାଚନରେ ପରାଜୟ ପରେ କିଛି ବରିଷ୍ଠ ନେତା ମୁହଁ ଖୋଲିଥିଲେ ।