ଆଜି ବି ଖୋଲିଲାନି ମଣ୍ଡି : ପୁଣି ଗଡ଼ିଲା ସମୟ

ଭୁବନେଶ୍ୱର, ୨୫/୧୧ : ଆଜି ମଣ୍ଡି ଖୋଲିବ ବୋଲି କହିଥିଲେ ମନ୍ତ୍ରୀ । ବିଡମ୍ବନାର ବିଷୟ ଆଜି କେଉଁଠି ମଣ୍ଡି ଖୋଲିଲା ତାହା ଜଣାପଡ଼ିନି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ । ଅନ୍ୟପଟେ ମଣ୍ଡି ଖୋଲା ବିଳମ୍ବକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଜବାବରେ ବିଜେପି କହିଛି ଚାଷୀଙ୍କ ସହ ଅଛନ୍ତି ମୋହନ ସରକାର । ବିଳମ୍ବରେ ହେଉ ପଛେ୨୫ତାରିଖରେ ମଣ୍ଡି ଖୋଲିବ ବୋଲି ସମବାୟ ମନ୍ତ୍ରୀ କହିବା ପରେ ଚାଷୀ ଆଶ୍ବସ୍ତ ହୋଇଥିଲେ । ଅମଳ ଧାନ ଆଣି ବିକିବାକୁ ମାର୍କେଟ ୟାର୍ଡରେ ଗଦା କରିଥିଲେ । କିନ୍ତୁ ବିଡମ୍ବନାର ବିଷୟ ଦିନ ତମାମ ଅପେକ୍ଷା କଲା ବି ସନ୍ଧ୍ୟା ସୁଦ୍ଧା ରାଜ୍ୟର କୌଣସି ସ୍ଥାନରେ ମଣ୍ଡି ଖୋଲିନି । ଓଡ଼ିଶାର ଭାତ ହାଣ୍ଡି କୁହାଯାଉଥିବା ବରଗଡ଼ରେ ୨୮ରେ ଖୋଲିବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି କରୁଛି । ସେହିପରି ସମ୍ବଲପୁରରେ ନଭେମ୍ବର ୨୮, ଝାରସୁଗୁଡ଼ା ଓ ସୋନପୁରରେ ଡିସେମ୍ବର ୯, ବଲାଙ୍ଗୀରରେ ଡିସେମ୍ବର ୫, କୋରାପୁଟରେ ଡିସେମ୍ବର ୧୧ରେ ଖୋଲିବ ମଣ୍ଡି । ବଡ଼ କଥା ହେଉଛି ଅଧିକାଂଶ ଜିଲ୍ଳାରେ କେବେ ମଣ୍ଡି ଖୋଲିବ ତାହା ସ୍ଥିର ହୋଇନାହିଁ । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ ।