୭ ହଜାର ୨୯୩ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୫/୧୧ : ରାଜ୍ୟ ସରକାରଙ୍କ ତରଫରୁ କଳିଙ୍ଗ ଷ୍ଟାଡିୟମରେ ମେଗା ନିଯୁକ୍ତି ମେଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୧୨ ଟି ବିଭାଗର ୭ ହଜାର ୨୯୩ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆମ ସରକାର ଖାଲି ପଡ଼ିଥିବା ପଦ ଏବଂ ଖାଲି ହେଉଥିବା ପଦବି ପୁରା କରୁଛନ୍ତି। ବିଭିନ୍ନ ବିଭାଗକୁ ଏଥିପାଇଁ ନିର୍ଦ୍ଦେଶ ଦେଇଥିଲି। ଆମ ସରକାର ଆସିବାର ୫୦୦ ଦିନ ଭିତରେ ୩୭,୩୨୫ ଜଣଙ୍କୁ ନିଯୁକ୍ତି ଦେଇଛି”। ଆଜି ଦ୍ବାଦଶ ନିଯୁକ୍ତି ମେଳାରେ ୧୨ଟି ବିଭାଗରେ ୭,୨୯୩ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି। ଯୁବଗୋଷ୍ଠୀଙ୍କ ଆଶା ଓ ଆକାଂକ୍ଷା ପୂରା କରିବା ହେଉଛି ଆମ ସରକାରର ଲକ୍ଷ୍ୟ। ମୁଖ୍ୟମନ୍ତ୍ରୀ ‌ମୋହନ ଚରଣ ମାଝୀ ‘ନିଯୁକ୍ତି ମେଳା ଓ ପ୍ରଶିକ୍ଷଣ’ କାର୍ଯ୍ୟକ୍ରମରେ ଏହା କହିଛନ୍ତି। ପୂର୍ବ ସରକାରରେ ଓଡ଼ିଶାରେ ସବୁ ଥାଇ ମଧ୍ୟ ଶିଳ୍ପାୟନ ହୋଇପାରି ନଥିଲା। ଆମ ସରକାର ଆସିବା ପରେ ୨ଲକ୍ଷ କୋଟି ଟଙ୍କାର ଶିଳ୍ପ ପାଇଁ ଓଏଏମ୍‌ୟୁ କରିଛନ୍ତି। ଏହା ଦ୍ବାରା ଦେଢ଼ ଲକ୍ଷ ଲୋକଙ୍କୁ ରୋଜଗାର ମିଳିପାରିବ ବୋଲି ଆଶା କରାଯାଉଛି। ଦୁର୍ନୀତି ନିଜ ପାଇଁ ଓ ସରକାର ପାଇଁ ବିପଦ ଜନକ। ଦୁର୍ନୀତି ଗ୍ରସ୍ତ ହେଲେ ଭିଜିଲାନ୍ସ ଧରିବ। କିଛି ଦିନ ତଳେ ଚାକିରୀ ପାଇ ଓଏଏସ ରାଙ୍କରେ ଏକ ନମ୍ବର ହୋଇଥିବା ଓଏଏସ ଅଧିକାରୀ ଲାଞ୍ଚ ନେଇ ଏବେ ଜେଲ ରେ ଅଛନ୍ତି। ଏହା ଦୁଃଖ ଦାୟକ ଘଟଣା। ସେହିପରି ଜଣେ ଆଇ ଏ ଏସ ଅଧିକାରୀ ବି ଲିପ୍ତ ଥିଲେ। ଆଉ ଜେଲ ରେ ଅଛନ୍ତି। ଏହି କଥା ସବୁବେଳେ ମନେ ରଖିଥିବ”। ତେଣୁ ସତର୍କ ରହିବାକୁ କଳିଙ୍ଗ ଷ୍ଟାଡିୟମ୍ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି ପରାମର୍ଶ ଦେଇଛନ୍ତି ।