ନୂଆଦିଲ୍ଲୀ, ୦୩/୧୨ : ରାୟପୁରରେ ଶତକୀୟ ଇନିଂସ ଖେଳିଲେ କିଙ୍ଗ କୋହଲି । ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଦିନିକିଆରେ ୯୦ ବଲରେ ଶତକ ହାସଲ କରିଛନ୍ତି ବିରାଟ କୋହଲି । ଏହା ବିରାଟଙ୍କ ଦିନିକିଆ କ୍ୟାରିୟରର ୫୩ତମ ଶତକ । ଏହା ପୂର୍ବରୁ ରାଞ୍ଚିରେ ୧୩୫ ରନର ଦମଦାର ଇନିଂସ ଖେଳିଥିଲେ ବିରାଟ କୋହଲି । ମ୍ୟାଚ୍ ଜିତି ସିରିଜ୍ କବଜା କରିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ସେପଟେ ଶୃଙ୍ଖଳା ବଞ୍ଚାଇବାକୁ ହେଲେ ଦକ୍ଷିଣ ଆଫ୍ରିକା ପାଇଁ ଏହି ମ୍ୟାଚ୍ କର ବା ମର ସ୍ଥିତି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ଭାରତକୁ ଆମନ୍ତ୍ରଣ କରିଥିଲେ । ତେବେ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ ରୋହିତ୍ ଶର୍ମା ଏବଂ ଯଶସ୍ବୀ ଜୟସ୍ବାଲ । ରୋହିତ ଏବଂ ଜୟସ୍ବାଲ ଆଉଟ ହେବା ପରେ ରତୁରାଜ ଗାଏକ୍ବାଡ୍ ଏବଂ ବିରାଟ କୋହଲି ପାଳି ସମ୍ଭାଳିଥିଲେ । ବିରାଟ କୋହଲି ମାତ୍ର ୯୦ଟି ବଲ୍ ଖେଳି ସେଞ୍ଚୁରୀ ମାରିଥିଲେ । ତାଙ୍କ ଦିନିକିଆ କ୍ୟାରିୟରର ୫୩ତମ ଶତକ । ପରେ ସେ ୯୩ ବଲରୁ ୧୦୨ ରନର ଇନିଂସ ଖେଳି ଆଉଟ୍ ହୋଇଥିଲେ । ଏଥିରେ ୭ଟି ଚୌକା ଏବଂ ୨ଟି ଛକା ରହିଛି ।