ଭୁବନେଶ୍ୱର, ୦୪/୧୨ : ଶିବରାତ୍ରି ପୂର୍ବରୁ ସରିବ ଏକାମ୍ର ପରିକ୍ରମା ପ୍ରକଳ୍ପ । ଆସନ୍ତା ଜୁନ୍ ମାସ ସୁଦ୍ଧା ସଂପୂର୍ଣ୍ଣ ଶେଷ ହେବ ଏହି ପ୍ରକଳ୍ପ । କାର୍ଯ୍ୟକୁ ବର୍ତ୍ତମାନ ତ୍ୱରିତ ବେଗରେ ଆଗକୁ ନିଆଯାଉଛି । ଜମି ଅଧିଗ୍ରହଣ ସମସ୍ୟାକୁ ସମାଧାନ ପାଇଁ ଉଭୟ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଭୁବନେଶ୍ୱର ମହାନଗର ନିଗମକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ କଣ୍ଟ୍ରାକ୍ଟର ୨୦୨୩ ମସିହାରୁ ଏକାମ୍ର ପ୍ରକଳ୍ପ କାର୍ଯ୍ୟ କରୁଥିଲେ ସେ ପଛଘୁଞ୍ଚା ଦେବାରୁ କାର୍ଯ୍ୟରେ ବିଳମ୍ବ ହୋଇଛି । ବଳକା କାର୍ଯ୍ୟକୁ ୩ ରୁ ୪ ଭାଗ କରି ମାର୍ଚ୍ଚ ପୂର୍ବରୁ ତଥା ଶିବରାତ୍ରି ବେଳକୁ ମନ୍ଦିର ପାରିପାର୍ଶ୍ବିକ ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ଟାର୍ଗେଟ ଦିଆଯାଇଛି । ଫେବୃୟାରୀ ଶେଷ ସୁଦ୍ଧା ପାର୍କିଂ ଅଞ୍ଚଳ ଏବଂ ପ୍ରଭୁ ଲିଙ୍ଗରାଜ ମନ୍ଦିର ଏବଂ ପ୍ରଭୁ ଅନନ୍ତ ବାସୁଦେବଙ୍କ ମନ୍ଦିର ପ୍ଲାଜା କାର୍ଯ୍ୟ ଶେଷ କରିବା ପାଇଁ ମାର୍ଚ୍ଚ ମାସ ସୁଦ୍ଧା ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ବ୍ୟାଖ୍ୟାନ କେନ୍ଦ୍ର ପାଇଁ ଟିକେ ସମୟ ଲାଗିପାରେ । ବିନ୍ଦୁସାଗର ଓ ଏହାର ପାରିପାର୍ଶିକ ଜାଗା ସବୁକୁ ଅଧିକ ସୁନ୍ଦର କରାଯିବା ସହ ଦେବୀପାଦହରା ଓ ପାପନାଶିନୀ ପୁଷ୍କରିଣୀକୁ ପୁନରୁଦ୍ଧାର କରାଯିବ । ଏନେଇ ASI ସହ ଆଲୋଚନା ଚାଲିଛି, ଆବଶ୍ୟକ ପଡ଼ିଲେ ରାଜ୍ୟ ସରକାର ASI କୁ ଆର୍ଥିକ ସହାୟତା ଯୋଗାଇ ଦେବେ । କାର୍ଯ୍ୟକୁ ତଦାରଖ କରାଯିବ ଏବଂ କାର୍ଯ୍ୟ ଅଧିକ ତ୍ୱରିତ ହେବ ବୋଲି କହିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ୍ ହରିଚନ୍ଦନ ।