ଜମ୍ବୁ ରେଞ୍ଜ କାର୍ଯ୍ୟାଳୟ ଠାରେ ସାମୁଦ୍ରିକ କଇଁଛ ସୁରକ୍ଷା ସଚେତନ ଶିବିର

ମହାକାଳପଡ଼ା, ୧୪/୧୨ (ଓଡିଶା ଖବର) : ମହାକାଳପଡ଼ା ରେଞ୍ଜ ତରଫରୁ ଜମ୍ବୁସ୍ଥିତ କାର୍ଯ୍ୟାଳୟ ପରିସରରେ ଶନିବାର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶିବିର ରେ ରାଜନଗର ଡ଼ିଏଫଓ ଭରଦ୍ୱାଜ ଗାଓଁକର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏସିଏଫଓ ମାନସ ଦାସ ସଭା ପରିଚାଳନା କରିଥିଲେ l ମଂଚାସୀନ ଅତିଥି ଭାବେ ପରିବେଶ ପ୍ରେମୀ ବିଜୟ କବି, ହେମନ୍ତ ରାଉତ ଓ ଏସିଏଫଓ ଗଗନ ବିହାରୀ ମଳିକ, ସ୍ଥାନୀୟ ରେଞ୍ଜ ଅଫିସର ଶାନ୍ତନୁ ଦଳାଇ ଓ ଜମ୍ବୁ ସରପଞ୍ଚ ବିଶ୍ୱଜିତ ବସୁ ଆଦି ଉପସ୍ଥିତ ଥିଲେ l ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଶିବିର ଉଦ୍ଘାଟନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l

ସଭାରେ ସ୍ଥାନୀୟ ଅଂଚଳର ପାରମ୍ପାରିକ ମତ୍ସ୍ୟ ଜୀବି ମାନେ ଶିବି୍ରାର୍ଥୀ ଭାବେ ଯୋଗ ଦେଇଥିଲେ l ଶହ ଶହ ନଟିକାଲ ମାଇଲ ଦୂରରୁ ସୁରକ୍ଷିତ ପ୍ରଜନନ ଲକ୍ଷ୍ୟ ରେ ଗହୀରମଥା ଅଭୟାରଣ୍ୟ କୁ ଆସୁଥିବା ସାମୁଦ୍ରିକ କଇଁଛ ସୁରକ୍ଷା ନେଇ ଖାଲି ମତ୍ସ୍ୟ ଜୀବି ନୁହେଁ ପରିବେଶବିତ, ବନବିଭାଗ ତଟରକ୍ଷୀ ବାହିନୀ, ସାମୁଦ୍ରିକ ମତ୍ସ୍ୟ ବିଭାଗ ଓ ପୋଲିସ ପ୍ରଶାସନ ଉଭୟ ପ୍ରଚେଷ୍ଟା ଜାରି ରଖିବାକୁ ଉପସ୍ଥିତ ଅଧିକାରୀ ମାନେ ପରାମର୍ଶ ଦେଇଥିଲେ l ସୁରକ୍ଷିତ ପରିବେଶ, ଆବର୍ଜନା ମୁକ୍ତ ସମୁଦ୍ର ଉପକୂଳ, ଅନୁଜ୍ବକ ଆଲୋକ, ଅନଧିକାର ଫିସିଂରୁ ନିବୃତ ରହିବା ଭଳି ପୋଷଣୀୟ ଅଭ୍ୟାସ ମତ୍ସ୍ୟ ଜୀବି ମାନେ ବଜାୟ ରଖିଲେ ସାମୁଦ୍ରିକ କଇଁଛ ସୁରକ୍ଷିତ ରହିପାରିବେ ବୋଲି ସଚେତକ ମାନେ ଆଲୋଚନା କରିଥିଲେ l ସେହିପରି ସମୁଦ୍ର ଗର୍ଭରେ ଚିଙ୍ଗୁଡ଼ି, କଙ୍କଡା, ଗେଣ୍ଡା, ଶାମୁକା ଓ ଅନ୍ୟାନ୍ୟ ମାଛ ଆଦି ର ବଂଶ ବୃଦ୍ଧି ହେଲେ କଇଁଛ ବଂଶ ବୃଦ୍ଧି ହୋଇପାରିବ ବୋଲି ଅତିଥି ମାନେ ଆଲୋଚନା କରିଥିଲେ l ଯାହା ନେଇ କେନ୍ଦ୍ରାପଡା ଜିଲ୍ଲା ର ଗହୀରମଥା ଅଭୟlରଣ୍ୟ ଆଜି ବିଶ୍ୱ ଦରବାର ରେ ସ୍ଥାନ ପାଇଥୁବାରୁ ଆମେ ଗର୍ବ ଅନୁଭବ କରୁଛୁ ବୋଲି ଉପସ୍ଥିତ ଶିବି୍ରାର୍ଥୀ ମାନେ ଦାବି କରିଥିଲେ l ଏତଦ ବ୍ୟତୀତ ସ୍ଥାନୀୟ ମତ୍ସ୍ୟ ଜୀବି ମାନଙ୍କର ଟୁ ସିଲିଣ୍ଡର ବୋଟ ଓ ବ୍ୟବହୃତ ସାଧାରଣ ଜାଲ ଅତିଥି କଇଁଛ ମାନଙ୍କ ପାଇଁ ଘାତକ ନୁହେଁ l ବାହାର ଭଦ୍ରକ, ବାଲେଶ୍ୱର ଜିଲ୍ଲା ଓ ପଶ୍ଚିମ ବଙ୍ଗଳା ର ଉଚ୍ଚ ଅଶ୍ୱକ୍ଷମତା ସମ୍ପନ୍ନ ବୋଟ ନିଷେଧ୍ୟାଞ୍ଚଳ ରେ ଫିସିଂ କରି ପରିବେଶ କୁ ନଷ୍ଟ କରିବା ସହିତ ସାମୁଦ୍ରିକ କଇଁଛ ପ୍ରଜନନ ରେ ବାଧକ ସାଜୁଛନ୍ତି l

ବନ ବିଭାଗ ଅନ୍ୟ ସହଯୋଗୀ ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ସହଯୋଗ ରେ ଅନଧିକାର ଫିସିଂ ବୋଟ ଗୁଡିକୁ ଜବତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମତ୍ସ୍ୟ ଜୀବି ସଙ୍ଘ ର କର୍ମକର୍ତ୍ତା ମାନେ ଦାବି ଉଠାଇଥିଲେ l ଆଗନ୍ତୁକ ଜୀବ ମାନଙ୍କ ପ୍ରତି “ଅତିଥି ଦେବୋ ଭବ ” ନ୍ୟାୟ ରେ ସାମୁଦ୍ରିକ କଇଁଛ ସୁରକ୍ଷା ନେଇ ସଭିଏଁ ଯତ୍ନବାନ ହେଲେ ସନ୍ତୁଳିତ ପରିବେଶ ସୃଷ୍ଟି ହି ସମ୍ଭବ ହୋଇପାରିବ l ସର୍ବୋପରି ସନ୍ତୁଳିତ ପରିବେଶ ସୁରକ୍ଷା ନେଇ ସଭିଏଁ ଯତ୍ନବାନ ହେବାକୁ ଆହ୍ୱାନ ଦେଇଥିଲେ ମଂଚାସୀନ ଅତିଥି l