ଆଖିରୁ ଜାଣନ୍ତୁ ମଧୁମେହ ଏବଂ କୋଲେଷ୍ଟ୍ରଲର ଲକ୍ଷଣ 

ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ ଡାଇବେଟିସ୍ ଏବଂ ହାଇ କୋଲେଷ୍ଟ୍ରଲ୍ ଏକ ସାଧାରଣ ସମସ୍ୟା ପାଲଟିଛି । ଅନେକ ସମୟରେ ରକ୍ତ ପରୀକ୍ଷା କରିବା ପୂର୍ବରୁ ଆମ ଆଖି କିଛି ସ୍ୱତନ୍ତ୍ର ସଙ୍କେତ ଦେଇଥାଏ, ଯାହାକୁ ଆମେ ଜାଣିବା ନିହାତି ଜରୁରୀ ।

 

୧. ଆଖିରୁ କୋଲେଷ୍ଟ୍ରଲ୍ ବଢ଼ିବାର ସଙ୍କେତ

ଯେତେବେଳେ ଶରୀରରେ ଖରାପ କୋଲେଷ୍ଟ୍ରଲ୍ ର ମାତ୍ରା ବଢ଼ିଯାଏ, ଏହା ରକ୍ତନଳୀରେ ଜମା ହେବାକୁ ଲାଗେ। ଏହାର ପ୍ରଭାବ ଆଖିରେ ମଧ୍ୟ ଦେଖାଯାଏ:

କର୍ଣ୍ଣିଆ ଚାରିପଟେ ଧଳା ବଳୟ : ଯଦି ଆପଣଙ୍କ ଆଖିର କଳା ଡୋଳା ବା କର୍ଣ୍ଣିଆର ଚାରିପଟେ ଧଳା, ପାଉଁଶିଆ କିମ୍ବା ନୀଳ ରଙ୍ଗର ଏକ ଗୋଲାକାର ବଳୟ ଦେଖାଯାଉଛି, ତେବେ ଏହା ହାଇ କୋଲେଷ୍ଟ୍ରଲ୍‌ର ଏକ ପ୍ରମୁଖ ସଙ୍କେତ । ଏହା ଚର୍ବି ଜମା ହେବା କାରଣରୁ ହୋଇଥାଏ ।

ଆଖି ପତା ଉପରେ ହଳଦିଆ ଦାଗ: ଆଖିର ଉପର କିମ୍ବା ତଳ ପତା ପାଖରେ ଛୋଟ ଛୋଟ ହଳଦିଆ ରଙ୍ଗର ମାଂସଳ ପେଣ୍ଡୁଳା ବା ଦାଗ ଦେଖାଯିବା। ଏଥିରେ ଯନ୍ତ୍ରଣା ହୁଏନାହିଁ, କିନ୍ତୁ ଏହା ଶରୀରରେ ବଢୁଥିବା ଚର୍ବି ବା କୋଲେଷ୍ଟ୍ରଲ୍‌ର ସ୍ପଷ୍ଟ ପ୍ରମାଣ।

ଦୃଷ୍ଟିଶକ୍ତି ହଠାତ୍ କମିଯିବା: କୋଲେଷ୍ଟ୍ରଲ୍ କାରଣରୁ ଆଖିକୁ ରକ୍ତ ଯୋଗାଉଥିବା ନଳୀରେ ବାଧା ସୃଷ୍ଟି ହୋଇପାରେ, ଯାହାକୁ ‘ରେଟିନାଲ୍ ଆର୍ଟେରୀ ଅକ୍ଲୁଜନ’ କୁହାଯାଏ । ଏହା ଦ୍ୱାରା ଜଣେ ବ୍ୟକ୍ତି ହଠାତ୍ ଦେଖିବାରେ ଅସୁବିଧା ଅନୁଭବ କରେ ।

 

୨. ଆଖିରୁ ଡାଇବେଟିସ୍‌ର ସଙ୍କେତ

ରକ୍ତରେ ଶର୍କରା ବା ସୁଗାରର ମାତ୍ରା ବଢ଼ିଲେ ଏହା ଆଖିର ସୂକ୍ଷ୍ମ ରକ୍ତନଳୀଗୁଡ଼ିକୁ ନଷ୍ଟ କରିଦିଏ । ଏହାକୁ ‘ଡାଇବେଟିକ୍ ରେଟିନୋପାଥି’ କୁହାଯାଏ।

ଝାପ୍ସା ଦେଖାଯିବା : ଯଦି ଆପଣଙ୍କୁ ହଠାତ୍ ସବୁକିଛି ଝାପ୍ସା ଦେଖାଯାଉଛି, ତେବେ ଏହା ବଢୁଥିବା ସୁଗାରର ଲକ୍ଷଣ ହୋଇପାରେ । ରକ୍ତରେ ସୁଗାର ବଢ଼ିଲେ ଆଖିର ଲେନ୍ସ ଫୁଲିଯାଏ, ଯାହା ଫଳରେ ଦୃଷ୍ଟିଶକ୍ତି ଅସ୍ପଷ୍ଟ ହୋଇଯାଏ ।

ଆଖି ଆଗରେ କଳା ଦାଗ ଉଡ଼ିବା : ଅନେକ ସମୟରେ ଡାଇବେଟିସ୍ ରୋଗୀଙ୍କୁ ଆଖି ଆଗରେ ଛୋଟ ଛୋଟ କଳା ଦାଗ, ବିନ୍ଦୁ କିମ୍ବା ବୁଢ଼ିଆଣି ଜାଲ ଭଳି କିଛି ଉଡ଼ୁଥିବାର ଦେଖାଯାଏ । ଏହା ରେଟିନାରୁ ରକ୍ତସ୍ରାବ ହେବାର ସଙ୍କେତ ହୋଇପାରେ ।

ରଙ୍ଗ ଚିହ୍ନିବାରେ ଅସୁବିଧା: ସୁଗାର ବହୁତ ଦିନ ଧରି ଅଧିକ ରହିଲେ ବ୍ୟକ୍ତି ରଙ୍ଗ ଚିହ୍ନିବାର କ୍ଷମତା ହରାଇବାକୁ ଲାଗେ। ବିଶେଷ କରି ନୀଳ ଏବଂ ହଳଦିଆ ରଙ୍ଗ ମଧ୍ୟରେ ପାର୍ଥକ୍ୟ ବୁଝିବା କଷ୍ଟକର ହୁଏ।

ରାତିରେ ଦେଖିବାରେ କଷ୍ଟ: ମଧୁମେହ କାରଣରୁ ଆଖିର ଦୃଷ୍ଟିଶକ୍ତି ଦୁର୍ବଳ ହୋଇଯାଏ, ଯାହାଫଳରେ ଅଳ୍ପ ଆଲୁଅରେ କିମ୍ବା ରାତିରେ କୌଣସି ଜିନିଷ ସଠିକ୍ ଭାବେ ଦେଖାଯାଏ ନାହିଁ।

Madhukunj