ଓଏମସି ବାର୍ଷିକ କ୍ରୀଡା ସମ୍ମିଳନୀ ୨୦୨୫ : ଖେଳ ମାଧ୍ୟମରେ ଏକତା ଓ ସୁସ୍ଥତାର ସନ୍ଦେଶ

ଭୁବନେଶ୍ୱର,୨୨/୧୨ : (ଓଡିଶା ଖବର) – ଓଡ଼ିଶା ମାଇନିଂ କର୍ପୋରେସନ୍‌ (ଓଏମସି) ର ତୃତୀୟ ବାର୍ଷିକ କ୍ରୀଡା ସମ୍ମିଳନୀ ୨୦୨୫ ଆରମ୍ଭ ହୋଇଛି । ଏହି ତିନି ଦିନିଆ କ୍ରୀଡା ମହୋତ୍ସବ ୨୨ ରୁ ୨୪ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌, ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍‌ ଏବଂ ଇଷ୍ଟ କୋଷ୍ଟ ରେଲୱେ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଆୟୋଜିତ ହେଉଛି।

ଏହି କ୍ରୀଡା ସମ୍ମିଳନୀକୁ ଓଏମସି ର ପରିଚାଳନା ନିର୍ଦେଶକ ଶ୍ରୀ ସୁଧାଂଶୁ ମୋହନ ସାମଲ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ଶେଖର ଖୋରା, ନିର୍ଦ୍ଦେଶକ (ଅପରେସନ୍‌ସ) ଶ୍ରୀ ସବ୍ୟସାଚୀ ମହାନ୍ତି; ନିର୍ଦ୍ଦେଶକ (ମାନବ ସମ୍ବଳ) ଶ୍ରୀ ଆଲୋକ କୁମାର ପାଲ୍‌; ନିର୍ଦ୍ଦେଶକ (ଅର୍ଥ) ଶ୍ରୀ ବନ ବିହାରୀ ପାଣି, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଓ ଅଂଶଗ୍ରହଣକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ।

ଏହି କ୍ରୀଡା ସମ୍ମିଳନୀରେ ୫୫୦ରୁ ଅଧିକ କର୍ମଚାରୀ ଅଂଶଗ୍ରହଣ କରୁଥିବା ବେଳେ ଦୌଡ଼ କୁଦ, ଲଙ୍ଗ ଜମ୍ପ, ଜାଭେଲିନ୍‌, ଟେବୁଲ୍‌ ଟେନିସ୍‌, ଭଲିବଲ୍‌ ଓ କ୍ରିକେଟ୍‌ ସହିତ ମୋଟ ୧୮ଟି କ୍ରୀଡା ପ୍ରତିଯୋଗିତା ହେଉଛି। ଏହା କର୍ମଚାରୀଙ୍କ ସୁସ୍ଥତା, ଦଳୀୟ ସହଯୋଗ ପ୍ରତି ଓଏମ୍‌ସିର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।

କର୍ମଚାରୀଙ୍କୁ ସମ୍ବୋଧନ କରି ଶ୍ରୀ ସାମଲ କହିଥିଲେ ଯେ, “ଓଏମସି ବାର୍ଷିକ କ୍ରୀଡା ସମ୍ମିଳନୀ କେବଳ ଏକ ପ୍ରତିଯୋଗିତା ନୁହେଁ; ଏହା ଦଳଗତ ଭାବେ କାର୍ଯ୍ୟ କରିବା, ଶିଷ୍ଟାଚାର, ସହଭାଗିତାର ଏକ ଉତ୍ସବ। କ୍ରୀଡା ମାଧ୍ୟମରେ ଆମେ ସମସ୍ତେ ଏକ ପରିବାର ଭାବେ ଏକତ୍ରିତ ହେଉଛୁ । ଏକ ସଂଗଠନ ଭାବେ ଓଏମସି ରାଜ୍ୟ ତଥା ଦେଶର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି,ଏବଂ ଏପରି କାର୍ଯ୍ୟକ୍ରମଗୁଡ଼ିକ ଆମ ସଂଗଠନର ସଫଳତା ତଥା ଓଡ଼ିଶାର ବିକାଶକୁ ଆଗେଇ ନେବାରେ ସହାୟକ ହବ।”

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଉଜାଗର କରୁଥିବା ଏକ ସାଂସ୍କୃତିକ ପ୍ରଦର୍ଶନ ମଧ୍ୟ ହୋଇଥିଲା। ସମ୍ବଲପୁରୀ ଲୋକନୃତ୍ୟ ଓ ସଙ୍ଗୀତର ଉତ୍ସାହଭରା ପ୍ରସ୍ତୁତି ଦର୍ଶକମାନଙ୍କୁ ମନମୁଗ୍ଧ କରିଥିଲା। କ୍ରୀଡା ପ୍ରତିଯୋଗିତା ଆରମ୍ଭ ପୂର୍ବରୁ ସମସ୍ତ ଅଂଶଗ୍ରହଣକାରୀ ଓ ଅଧିକାରୀମାନେ ସାମୂହିକ ଭାବେ କ୍ରୀଡା ସୁରକ୍ଷା ଶପଥ ଗ୍ରହଣ କରିଥିଲେ। ଏଥିରେ ସୁସ୍ଥ ପ୍ରତିସ୍ପର୍ଧା, ସୁରକ୍ଷା ନିୟମର ପାଳନ, ଆଚରଣ ଓ ପାରସ୍ପରିକ ସମ୍ମାନ ପ୍ରତି ପ୍ରତିବଦ୍ଧତା ପ୍ରକାଶ ପାଇଥିଲା।

ତୃତୀୟ ଓଏମସି ବାର୍ଷିକ କ୍ରୀଡା ସମ୍ମିଳନୀ ୨୦୨୫ ଏକତା, ସମାବେଶୀକରଣ, ଶାରୀରିକ ସୁସ୍ଥତା ଓ ଦୃଢ଼ ସୁରକ୍ଷା ସଂସ୍କୃତିକୁ ପ୍ରୋତ୍ସାହନ ଦେବା ପ୍ରତି ଓଏମସିର ପ୍ରତିବଦ୍ଧତାକୁ ପୁନରୁଚ୍ଚାରଣ କରେ।

Madhukunj