ଏସସିବି ମେଡିକାଲରେ ହେବ ୧୭ ମହଲା ପାର୍କିଂ, ୭ଟି ମେଡିକାଲ କଲେଜ କ୍ୟାମ୍ପସରେ ଆଟେଣ୍ଡାଣ୍ଟଙ୍କ ପାଇଁ ହେବ ବିଶ୍ରାମ ଗୃହ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୪/୧୨ : କଟକ ଏସସିବି ମେଡିକାଲରେ ହେବ ୧୭ ମହଲା ପାର୍କିଂ । ରାଜ୍ୟର ୭ଟି ମେଡିକାଲ କଲେଜ କ୍ୟାମ୍ପସରେ ଆଟେଣ୍ଡାଣ୍ଟଙ୍କ ପାଇଁ ହେବ ବିଶ୍ରାମ ଗୃହ । ରାଜ୍ଯ ସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟକ୍ରମ ସମୀକ୍ଷା କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକସେବା ଭବନ ଠାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । କଟକ ଏସସିବି ମେଡିକାଲ କଲେଜର ପୁନଃବିକାଶ କାର୍ଯ୍ୟ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ଏସସିବି ମେଡିକାଲ କଲେଜକୁ ଏକ ବିଶ୍ବସ୍ତରୀୟ ମେଡିକାଲ କଲେଜ ରୂପେ ବିକଶିତ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ସେଥିପାଇଁ ଆବଶ୍ୟକୀୟ ପାର୍କିଂ ସୁବିଧା ଉପରେ ବୈଠକରେ ଆଲୋଚନା ହୋଇଥିଲା ।
ଏସସିବି ମେଡିକାଲ କଲେଜରେ ୬.୫୧ ଏକର ପରିମିତ ଅଞ୍ଚଳରେ ୧୭ ମହଲାର ଏକ ମଲଟି ଲେଭଲ୍ ପାର୍କିଂ ସୁବିଧା ବିକଶିତ କରାଯିବ। ପାର୍କିଂ ସୁବିଧା ଉଭୟ ଏସସିବି ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲକୁ ଆସୁଥିବା ରୋଗୀ ଓ ଆଟେଣ୍ଡାଣ୍ଟମାନେ ବ୍ୟବହାର କରିପାରିବେ । ଖୁବଶୀଘ୍ର ଡିପିଆର ପ୍ରସ୍ତୁତ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜର ପୁନଃ ବିକାଶ କାର୍ଯ୍ୟ ଉପରେ ବୈଠକରେ ଆଲୋଚନା ହୋଇଥିଲା । ଏହା ସହ ପାଣିକୋଇଲି ଟ୍ରମା କେୟାର ସେଣ୍ଟରକୁ ଖୁବଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଏହାକୁ ପିପିପି ମୋଡ୍ ରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । କଟକ, ବ୍ରହ୍ମପୁର, ବୁର୍ଲା, ସୁନ୍ଦରଗଡ, କୋରାପୁଟ, ବାରିପଦା ଓ ବଲାଙ୍ଗିରରେ ଥିବା ସରକାରୀ ମେଡିକାଲ କଲେଜ୍ କ୍ୟାମ୍ପସ୍ ରେ ଆଟେଣ୍ଡାଣ୍ଟଙ୍କ ପାଇଁ ବିଶ୍ରାମ ଗୃହ ନିର୍ମାଣ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା ।