ଭୁବନେଶ୍ୱର, ୧୩/୦୧ : ଅନଲାଇନରେ ହେବ ଯୁକ୍ତ ଦୁଇ ଖାତା ଦେଖା। ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ। ତାଙ୍କ କହିବା ଅନୁସାରେ, ସ୍ୱଚ୍ଛ, ନିରପେକ୍ଷ, ସମୟାନୁବର୍ତ୍ତିତା ପାଇଁ ଅନଲାଇନ୍ ଖାତା ଦେଖା ହେବ। ଏନେଇ ପ୍ରସ୍ତାବ ଯାଇଛି, ଅନୁମତି ମିଳିଲେ ହିଁ କାର୍ଯ୍ୟକ୍ଷମ ହେବ। ତେବେ ପୂର୍ବରୁ କେବଳ ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗର ଖାତା ଅନଲାଇନରେ ମୂଲ୍ୟାୟନ ହେଉଥିଲା। ହେଲେ ଏବେ ସମସ୍ତ ବିଭାଗର ଖାତା ଅନଲାଇନରେ ଦେଖାଯିବାକୁ ପ୍ରସ୍ତାବ ଦିଆଯାଇଛି। ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା ଆରମ୍ଭ ହୋଇସାରିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ ପ୍ରାକ୍ଟିକାଲ୍ ପରୀକ୍ଷା ଜାନୁଆରି ୨ ତାରିଖରୁ ଆରମ୍ଭ ହୋଇସାରିଛି। ଚଳିତବର୍ଷ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ବିଭାଗରେ ଦୁଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରାକ୍ଟିକାଲ୍ ଓ ପରୀକ୍ଷା ଦେବେ। ବିଜ୍ଞାନ ବିଭାଗରେ ସର୍ବାଧିକ ୧ଲକ୍ଷ ରୁ ଅଧିକ ଓ କଳା ବିଭାଗରେ ପ୍ରାୟ ୮୦ ହଜାର ପରୀକ୍ଷାର୍ଥୀ ରହିଛନ୍ତି। ଜାନୁଆରି ୧୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ପରୀକ୍ଷାରେ ବିଜ୍ଞାନ ବିଭାଗର ୧୨ଟି, କଳା ବିଭାଗର ୮, ବାଣିଜ୍ୟ ବିଭାଗର ଦୁଇ, ଧନ୍ଦାମୂଳକ ବିଭାଗର ୧୦ରୁ ଅଧିକ ବିଷୟରେ ପ୍ରାକ୍ଟିକାଲ ପରୀକ୍ଷା ହେବ।