ଓଡିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ ରାୟ : ବିବାହ କରିବା ପୂର୍ବରୁ ଝିଅର ନିଷ୍ପତ୍ତି ନେବା ଅତ୍ୟନ୍ତ ଜରୁରୀ

ଭୁବନେଶ୍ୱର, ୧୩/୦୧ : ବିବାହକୁ ନେଇ ହାଇକୋର୍ଟ ଗୁରୁତ୍ୱପୂର୍ଣ ରାୟ ଶୁଣାଇଛନ୍ତି। ବିବାହ ସଂପର୍କିତ ନିଷ୍ପତ୍ତିରେ ଝିଅର ସ୍ୱୀକୃତି ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ଅଭିଭାବକ ମାନେ ବିବାହ ସଂପର୍କିତ ନିଷ୍ପତ୍ତି ନେବା ପୂର୍ବରୁ ଏହି ପ୍ରସଙ୍ଗରେ ଝିଅର ସ୍ୱୀକୃତି ନେବା ନିଶ୍ଚିତ ଆବଶ୍ୟକ ବୋଲି କହିଛନ୍ତି ହାଇକୋର୍ଟ। ତେବେ ଝିଅ ନିଖୋଜ ଥିବା ଅଭିଯୋଗ ନେଇ ବାପାଙ୍କ ତରଫରୁ ଦାୟର ଏକ ହେବିୟସ କର୍ପସ ପିଟିସନ୍‌ର ଶୁଣାଣି କରି ହାଇକୋର୍ଟ ଏଭଳି ଉଲ୍ଲେଖ କରିଛନ୍ତି। ବିବାହ କ୍ଷେତ୍ରରେ ଝିଅର ନିଷ୍ପତ୍ତି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ବିବାହକୁ ନେଇ କୌଣସି ନିଷ୍ପତ୍ତି ଅଭିଭାବକଙ୍କ ଦ୍ୱାରା ନିଆଯିବା ପୂର୍ବରୁ ଝିଅର ଅନୁମତି ନିଆଯିବା ଉଚିତ୍। ଯେତେବେଳେ ଜଣେ ଝିଅ ବିବାହ ପାଇଁ ପ୍ରସ୍ତୁତ ନଥାଏ, ମାନସିକ ଚାପ କିମ୍ବା ବଳ ପ୍ରୟୋଗ କରି ତାଙ୍କୁ ବାହାଦେବା ଏହା ସମାଜ ପାଇଁ ଅନୁକୂଳ ନୁହେଁ। ଅଭିଭାବକ ମାନେ ନିଜ ନିଷ୍ପତ୍ତି ପିଲାମାନଙ୍କ ଉପରେ ଲଦି ଦେବାର ଭାବନା ବିରୋଧରେ ପ୍ରଶାସନ ସଚେତନ କରିବା ଆବଶ୍ୟକ। ପ୍ରାପ୍ତ ବୟସ୍କ ଝିଅର ନିଷ୍ପତ୍ତିକୁ ସମ୍ମାନ ଦେବା ଉପରେ ମଧ୍ୟ ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି।