ଇଣ୍ଡିଗୋକୁ ଲାଗିଛି ବଡ଼ ଝଟକା, ୨୨କୋଟି ୨୦ଲକ୍ଷର ଜରିମାନା ଲଗାଇଲା ଡିଜିସିଏ

ନୂଆଦିଲ୍ଲୀ, ୧୮/୦୧ : ବିମାନ ଯାତ୍ରୀଙ୍କୁ ହଇରାଣ କରି ଦଣ୍ଡିତ ହେଲା ଇଣ୍ଡିଗୋ । ୨୨କୋଟି ୨୦ଲକ୍ଷର ଜରିମାନା ଲଗାଇଲା ଡିଜିସିଏ । ଡିସେମ୍ବର ମାସରେ ବିମାନ ସେବାରେ ବିଭ୍ରାଟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ । ଡିସେମ୍ବର ୩ରୁ ୫ ତାରିଖ ମଧ୍ୟରେ ଘରୋଇ ବିମାନ କଂପାନୀ ଇଣ୍ଡିଗୋରେ ଦେଖାଯାଇଥିବା ଅବଳାବସ୍ଥା ପାଇଁ ହଜାର ହଜାର ଯାତ୍ରୀ ହଇରାଣ ହେବା ନେଇ ମୋଟା ଅଙ୍କର ଜରିମାନା ଲଗାଇଛି ଡାଇକ୍ଟୋରେଟ ଜେନେରାଲ ଅଫ ସିଭିଲ ଆଭିଏସନ ।ଏହି ସମୟରେ ହୋଇଥିବା ଅଚଳାବସ୍ଥାର ଅନୁଧ୍ୟାନ ପାଇଁ ଚାରିଜଣିଆ ତଦନ୍ତ କମିଟି ଗଠନ କରାଯାଇଥିଲା । ଡିସେମ୍ବର ୩ରୁ ୫ ମଧ୍ୟରେ ଇଣ୍ଡିଗୋର ୨ହଜାର ୫୦୭ ବିମାନ ରଦ୍ଦ ହୋଇଥିବା ବେଳେ ଏକହଜାର ୮୫୨ ବିମାନ ଚଳାଚଳ ବିଳମ୍ବିତ ହୋଇଥିଲା । ଏତେ ସଂଖ୍ୟାରେ ବିମାନ ଚଳାଚଳ ବ୍ୟାହତ ହେବା ପରେ ଯାତ୍ରୀଙ୍କୁ ହୋଇଥିବା ପ୍ରବଳ ଅସୁବିଧା କାରଣରୁ ଇଣ୍ଡିଗୋ ଉପରେ ୨୨କୋଟି ୨୦ଲକ୍ଷର ଜରିମନା ଲଗାଯାଇଛି । ଏଥିରେ ୬୮ଦିନ ପର୍ଯ୍ୟନ୍ତ ନିୟମର ପାଳନ ପାଇଁ ପ୍ରତିଦିନ ୩୦ଲକ୍ଷ ଟଙ୍କା ହିସାବରେ ଜରିମାନା ରହିଛି । ନିୟମର ପାଳନ ସୁନିଶ୍ଚିତ କରିବାକୁ ଇଣ୍ଡିଗୋକୁ ୫୦ କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ଜମା କରିବାକୁ ମଧ୍ଯ ନିର୍ଦ୍ଦେଶ ଦିଆଯାଇଛି । କମ୍ପାନୀ ପାଖରେ ପର୍ଯ୍ୟାପ୍ତ ପାଇଲଟ୍ ଓ କ୍ରୁ ମେମ୍ବର ନଥାଇ ମଧ୍ୟ ଅତ୍ୟଧିକ ବିମାନ ଉଡ଼ାଣ ପାଇଁ ବୁକିଂ କରାଯାଇଥିବା DGCA ର ତଦନ୍ତରୁ ଜଣାପଡିଛି । ପାଇଲଟ କାର୍ଯ୍ୟ ସମୟ ସୀମା ନିୟମକୁ ପାଳନ କରିବାକୁ ତାଗିଦ୍ କରାଯାଇଛି । ବିଭ୍ରାଟ ପାଇଁ ଦାୟୀ ଥିବା କିଛି ବରିଷ୍ଠ ଅଧିକାରୀଙ୍କୁ ଚେତାବନୀ ଦିଆଯିବା ସହ ସ୍ପଷ୍ଟୀକରଣ ମଗାଯାଇଛି । ଏପଟେ ଜୋରିମାନା ପରେ ଇଣ୍ଡିଗୋ ପକ୍ଷରୁ ବିବୃତ୍ତି ଜାରି ହୋଇଛି । କମ୍ପାନୀ ନିଜର ଭୁଲ୍ ସ୍ୱୀକାର କରିବା ସହ ପ୍ରଭାବିତ ଯାତ୍ରୀଙ୍କୁ କ୍ଷତିପୂରଣ ବାବଦରେ ୧୦ ହଜାର ଟଙ୍କାର’ଭାଉଚର’ ପ୍ରଦାନ କରୁଥିବା ସୂଚନା ଦେଇଛି । ଏହି ଭାଉଚରକୁ ଯାତ୍ରୀମାନେ ଆସନ୍ତା ଏକ ବର୍ଷ ମଧ୍ୟରେ ଯାତ୍ରା ପାଇଁ ବ୍ୟବହାର କରିପାରିବେ ।