ଭୁବନେଶ୍ୱର, ୧୮/୦୧ : ଆସନ୍ତା ୨୫ରେ ପବିତ୍ର ମାଘ ସପ୍ତମୀ ବୁଡ଼ । ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଛୁଟି ଆସିବେ ଅର୍କକ୍ଷେତ୍ର କୋଣାର୍କକୁ । ଏଥିନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟ ଆଗେଇ ଚାଲିଛି । ମେଳା ପଡ଼ିଆରେ ସଫେଇ, ପାଚେରି ରଙ୍ଗ, ବ୍ୟାରିକେଡ୍ ଓ ଦୁଇଟି ୱାଚ୍ ଟାୱାର ନିର୍ମାଣ ଆଦି ଚାଲିଛି । ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ୨୫ ତାରିଖ ପ୍ରତ୍ୟୁଷରୁ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବେ । ନିଷ୍ପତ୍ତି ଅନୁଯାୟୀ ଜାନୁଆରୀ ୨୪ ତାରିଖ ମାଘ ଶୁକ୍ଳ ଷଷ୍ଠୀ ରାତି ୮ଟା ୧୦ରୁ ଶ୍ରୀ ତ୍ରିବେଣୀଶ୍ୱର, ଈଶାଣେଶ୍ୱର, ଦକ୍ଷିଣେଶ୍ୱର ଦେବଙ୍କ ଚଳନ୍ତି ପ୍ରତିମା ନିଜ ନିଜ ଆସ୍ଥାନରୁ ବାହାରି ବିମାନ ବିଜେ କରିବେ । ତିନିଠାକୁର ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା ସହ କୋଣାର୍କ ଏନ୍ଏସି ମଣ୍ଡପରେ ପୂଜାର୍ଚ୍ଚନା ପରେ ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଞ୍ଚିବେ । ପାରମ୍ପରିକ ରୀତିନୀତିରେ ଚଳନ୍ତି ପ୍ରତିମାଙ୍କ ପୂଜାହୋମ କର୍ମ ସମ୍ପାଦନ ସରିଲେ ୨୫ ତାରିଖ ସପ୍ତମୀ ତିଥିରେ ମାହେନ୍ଦ୍ର ବେଳା ୪ଟା ୪୧ ମଧ୍ୟରେ ପବିତ୍ର ତୀର୍ଥ ଜଳରେ ତିନିଠାକୁର ସ୍ନାନ କରିବେ । ମେଳା ପଡ଼ିଆରେ ଅସ୍ଥାୟୀ ସ୍ୱାସ୍ଥ୍ୟ ସେବା ଶିବିର, ଅସ୍ଥାୟୀ ଶୌଚାଳୟ, ପାନୀୟ ଜଳ, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ବେଳାଭୂମିରେ ଦୁଇଟି ଦମକଳ ଗାଡ଼ି ମୁତୟନ, ଶନିବାର ସାରା ରାତି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହିତ ଶାନ୍ତିଶୃଙ୍ଖଳା ନିମନ୍ତେ କୋଣାର୍କ ଓ ଚନ୍ଦ୍ରଭାଗାରେ ୩୪ ପ୍ଲାଟୁନ ଫୋର୍ସ ନିୟୋଜିତ ରହିବେ । ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରୁ ୩ କିମି ଦୂରରେ ଯାତ୍ରୀବାହୀ ବସ୍ ପାର୍କିଂ ନିଷ୍ପତ୍ତି ଯୋଗୁ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ୟା ଆଣିବ । ପୁରୀ ପୁଲିସ ପ୍ରଶାସନ ପକ୍ଷରୁ ଜାନୁଆରୀ ୨୪ ତାରିଖ ଅପରାହ୍ଣ ୪ଟାରୁ ୨୫ ତାରିଖ ଦିନ ୧୨ଟା ପର୍ଯ୍ୟନ୍ତ ଯାନବାହନ କଟକଣା ଲାଗୁ କରାଯିବ ।