ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ : କଳାଘୋଡ଼ ସହ ପଦ୍ମଫୁଲରେ ସଜ୍ଜିତ ହେବେ କାଳିଆ ସାଆନ୍ତ

ଭୁବନେଶ୍ୱର, ୨୧/୦୧ : ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ। କଳାଘୋଡ଼ ସହ ପଦ୍ମଫୁଲରେ ସଜ୍ଜିତ ହେବେ କାଳିଆ ସାଆନ୍ତ। ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଗିନୀ ସୁଭଦ୍ରା। ଶ୍ରୀଜୀଉଙ୍କ ମୁଖପଦ୍ମ ସହିତ ପଦ୍ମ ପାଖୁଡ଼ା, ବେତ ନିର୍ମିତ ଓ ସୋଲ ପଦ୍ମ ଖଚିତ ଏକ ତ୍ରିକୋଣର ଟାହିଆ ମଧ୍ୟ ଲାଗି କରାଯାଏ। ସିଂହାରୀ ସେବକଙ୍କ ଦ୍ୱାରା ଏହା ଶ୍ରୀଜିଉଙ୍କୁ ବିଭୂଷିତ କରାଯିବ। ଏହାପରେ ବଡ଼ସିଂହାରର ପଦ୍ମବେଶରେ ମହାପ୍ରଭୁ ସାରାରାତି ମହାପ୍ରଭୁ ରହନ୍ତି। ଏହି ବେଶ ଦେଖିବା ପାଇଁ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ। ମାଘ ମାସ ଅମାବାସ୍ୟାଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ବୁଧବାର କିମ୍ବା ଶନିବାର ପଡ଼ିଲେ, ସେହିଦିନ ମହାପ୍ରଭୁଙ୍କ ଅତୀବ ରମଣୀୟ ପଦ୍ମବେଶ ହୋଇଥାଏ। ବଡ଼ସିଂହାର ବେଶରେ ଠାକୁରମାନଙ୍କୁ ବେଶ କରାଯିବ। ଏହି ବେଶ ପରେ ଖିରି ଓ ଅମାଲୁ ଭୋଗ କରାଯିବ। ପଦ୍ମବେଶ ଥାଇ ଠାକୁର ପହୁଡ଼ ହେବେ। ମଙ୍ଗଳ ଆଳତିରେ ଭକ୍ତମାନେ ଦୁର୍ଲଭ ପଦ୍ମବେଶରେ ଠାକୁରଙ୍କୁ ଦର୍ଶନ କରିବେ।

ମନୋହର ଦାସ ନାମକ ଜଣେ ହିନ୍ଦୀ ଭାଷୀ ସାଧୁ ଥିଲେ। ଏକଦା ମହାତ୍ମା ମନୋହର ଦାସ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ଉଦ୍ଦେଶ୍ୟରେ ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ। ଦୀର୍ଘ ଦିନ ପାଦରେ ଚାଲି ଚାଲି ଅନେକ ଜଙ୍ଗଲ, ପାହାଡ଼, ନଈ, ରାସ୍ତା ଅତିକ୍ରମ କରି ଶାରୀରିକ ପୀଡା ସତ୍ତ୍ୱେ ସେ ଆଗେଇ ଚାଲିଥାନ୍ତି। ପଦବ୍ରଜରେ ଯାଉଥିବା ବେଳେ ତାଙ୍କୁ ଭୀଷଣ ଶୋଷ ହେଲା। ପାଖରେ କୌଣସି ଗ୍ରାମ କିମ୍ବା ଜଳାଶୟ ନଥିଲା। କିଛି ପଥ ଅତିକ୍ରମ କରିବା ପରେ ହଠାତ୍ ତାଙ୍କର ଦୃଷ୍ଟିଗୋଚର ହେଲା ଗୋଟିଏ ପୁଷ୍କରିଣୀ ମଧ୍ୟରେ ଅନେକ ପଦ୍ମ ଫୁଲ ଫୁଟିଛି। ସେ ତାହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ସେ ମନେ ମନେ ଜଗନ୍ନାଥଙ୍କୁ ସୁମରଣା କରି ପାଣି ପିଇ ପ୍ରଭୁଙ୍କ ନିମନ୍ତେ ପୁଷ୍କରିଣୀରେ କିଛି ତା ପଦ୍ମ ପୁଷ୍ପକୁ ତୋଳି ନେଇଥିଲେ।

ମାଘ ମାସ ଅମାବାସ୍ୟା ଦିନ ସେ ଶ୍ରୀମନ୍ଦିରରେ ପହଞ୍ଚି ପଦ୍ମ ଫୁଲଗୁଡ଼ିକ ଶ୍ରୀଜୀଉମାନଙ୍କ ଚରଣାବିନ୍ଦରେ ଲାଗି କରିବା ପାଇଁ ଅନୁରୋଧ କଲେ। ମଇଳା ଗାମୁଛାରେ ଥିବା ଶୁଷ୍କ ପଦ୍ମ ଫୁଲକୁ ଦେଖି ପଣ୍ଡା ଏହା ଠାକୁରଙ୍କୁ ଲାଗି ହୋଇପାରିବ ନାହିଁ କହି ତିରସ୍କାର କରିଥିଲେl ଏ ଘଟଣାରେ ଭକ୍ତ ମନୋହର ଦୁଃଖିତ ହୋଇ ଜଗନ୍ନାଥଙ୍କୁ ସ୍ମରଣ କରି ମୂର୍ଚ୍ଛିତ ହୋଇପଡ଼ିଲେ। ସେହି ଦିନ ଜଗନ୍ନାଥ ମହାପ୍ରଭୁ ସ୍ୱପ୍ନାଦେଶରେ ଗଜପତି ମହାରାଜାଙ୍କୁ କହିଲେ ମନୋହର ଆଣିଥିବା ପଦ୍ମ ପୁଷ୍ପରେ ହିଁ ଆଜି ମୋର ବଡ଼ସିଂହାର ବେଶ ହେବ। ସେହିଦିନ ଠାରୁ ଏହି ପଦ୍ମବେଶ ମହାପ୍ରଭୁଙ୍କର ଅନୁଷ୍ଠିତ ହେଉଛି।