ଭୁବନେଶ୍ୱର, ୨୨/୦୧ : ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪ ଲକ୍ଷ ୫୭ ହଜାରରୁ ଉର୍ଦ୍ଧ୍ୱ ମହିଳାଙ୍କୁ ୩୧୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସୁଭଦ୍ରା ଟଙ୍କା ବାଣ୍ଟିଛନ୍ତି । ଆଜି ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପାଇନଥିବା ତଥା ନୂତନ କରି ଯୋଡ଼ି ହୋଇଥିବା ହିତାଧିକାରୀଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି । ନୂଆକରି ୧ ଲକ୍ଷ ୭୮ ହଜାର ୩୯୮ ମହିଳା ଏବଂ ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ୍ ପଡ଼ିଥିବା ୨ ଲକ୍ଷ ୫୫ ହଜାର ହିତାଧିକାରୀଙ୍କୁ ମିଳିଲା ଟଙ୍କା ମିଳିଛି । ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ହିତାଧିକାରୀଙ୍କୁ ଚେକ୍ ବଣ୍ଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହିଳାଙ୍କ ସାମାଜିକ, ଆର୍ଥିକ ଓ ରାଜନୈତିକ ବିକାଶ ବିନା ରାଜ୍ୟର ଉନ୍ନତି ସମ୍ଭବ ହୋଇପାରିବ ନାହିଁ । ଆମ ସରକାରଙ୍କ ପାଇଁ ମହିଳାଙ୍କ କେବଳ ବିକାଶ ନହେଁ ସେମାନଙ୍କ ପ୍ରକୃତ ସଶକ୍ତୀକରଣ ଉଦ୍ଦେଶ୍ୟ । ମୁଖ୍ୟମନ୍ତ୍ରୀ ପୂର୍ବ ସରକାରକୁ ମଧ୍ୟ ଘେରିଛନ୍ତି । ବିଗତ ସରକାର ମହିଳା ସଶକ୍ତିକରଣ ନାଁରେ କେବଳ ରାଜନୀତିକରଣ କରୁଥିଲେ । ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତିକରଣ ଓ ସେମାନଙ୍କ ଆର୍ଥିକ ସ୍ୱାବଲମ୍ବିତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆର୍ଥିକ ସ୍ୱାଧୀନତା ଆତ୍ମବିଶ୍ୱାସ ଆଣିଥାଏ। ଯେତେବେଳେ ଜଣେ ମହିଳାଙ୍କ ହାତରେ ଟଙ୍କା ଥାଏ, ପରିବାର ଏବଂ ସମାଜରେ ତାଙ୍କର ସ୍ୱର ଅଧିକ ଶକ୍ତିଶାଳୀ ହୋଇଯାଏ । ସେ ନିଷ୍ପତ୍ତି ନେଇପାରନ୍ତି, ଭବିଷ୍ୟତ ପାଇଁ ଯୋଜନା କରିପାରନ୍ତି ଏବଂ ସାହସର ସହିତ ଚ୍ୟାଲେଞ୍ଜଗୁଡ଼ିକର ସମ୍ମୁଖୀନ ହୋଇପାରନ୍ତି । ସୁଭଦ୍ରା ଯୋଜନା ଆପଣଙ୍କୁ ସେହି ଆତ୍ମବିଶ୍ୱାସ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ଏହି ଯୋଜନା ସାମାଜିକ ନ୍ୟାୟ ମଧ୍ୟ ପ୍ରଦାନ କରୁଛି । ଆମର ଲକ୍ଷ୍ୟ ହେଉଛି, ବିକାଶ ଯାତ୍ରାରେ କେହି ପଛରେ ରହିବା ଉଚିତ୍ ନୁହେଁ। ସୁଭଦ୍ରା ଯୋଜନାରେ ଦିଆଯାଇଥିବା ତିନୋଟି କିସ୍ତିର ସହାୟତା ରାଶି ରାଜ୍ୟର ମହିଳାମାନଙ୍କ ଆର୍ଥିକ ମେରୁଦଣ୍ଡକୁ ମଜବୁତ୍ କରିବା ସହ ମହିଳାଙ୍କ ବିକାଶକୁ ଏକ ବଳ ଯୋଗାଇଛି । ଏହି ଧାରାକୁ ବଜାୟ ରଖିବା ସହ ସରକାର ପ୍ରତିଶ୍ରୁତିବଦ୍ଧ । ସୁଭଦ୍ରା ମାଧ୍ୟମରେ ଆମେ କେବଳ ଆର୍ଥିକ ସ୍ୱାଧୀନତା ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରୁନାହୁଁ ବରଂ ଶିକ୍ଷା, ଦକ୍ଷତା, ଏବଂ ରୋଜଗାରର ସୁଯୋଗ ମଧ୍ୟରେ ଥିବା ବ୍ୟବଧାନକୁ ମଧ୍ୟ ଦୂର କରୁଛୁ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।