ନୂଆଦିଲ୍ଲୀ, ୨୫/୦୧ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଟିସିରିଜର ତୃତୀୟ ମ୍ୟାଚ୍ ଖେଳାଯିବ । ଗୌହାଟୀର ବରସାପାରା କ୍ରିକେଟ୍ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ । ପ୍ରଥମ ଦୁଇଟି ମ୍ୟାଚ୍ ଜିତିଛି ଟିମ୍ ଇଣ୍ଡିଆ । ତେଣୁ ଆଜିର ମୁକାବିଲା ଜିତିଲେ ଦଳ ସିରିଜ୍ ହାତେଇ ନେବ । ସେପଟେ ନ୍ୟୁଜିଲାଣ୍ଡ କର ବା ମର ସ୍ଥିତିରେ ରହିଛି । ତୃତୀୟ ଟି୨୦ଜିତି ଦଳ ସିରିଜକୁ ଫେରିବାକୁ ପ୍ରୟାସ କରିବ । ପୂର୍ବରୁ ରାୟପୁର ଟି୨୦ରେ ଭାରତ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରିଥିଲା । ଘରୋଇ ମାଟିରେ ଦଳ କେତେ ଶକ୍ତିଶାଳୀ ତାହା ପ୍ରମାଣିତ କରିଥିଲା । ଓପନିଂ ଯୋଡି ବିଫଳ ହୋଇଥିଲେ ବି ସୂର୍ଯ୍ୟ କୁମାର ଯାଦବ ଏବଂ ଇଶାନ କିଷାନ ଜବରଦସ୍ତ ଇନିଂସ ଖେଳିଥିଲେ । ଦଳ୨୦୯ରନର ବିଜୟ ଲକ୍ଷ୍ୟକୁ୧୬ଓଭରରେ ହିଁ ହାସଲ କରିନେଇଥିଲା ।
ଏବେ ଗୌହାଟୀରେ ମଧ୍ୟ ଭାରତ ଦମଦାର ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ସବୁଠୁ ଭଲ ଖବର ହେଲା କି ଏବେ ଅକ୍ଷର ପଟେଲ ଫିଟ୍ ଅଛନ୍ତି । ସେ ତୃତୀୟ ଟି୨୦ଖେଳିପାରନ୍ତି । ତାଙ୍କ ବ୍ୟତୀତ ଜସପ୍ରିତ ବୁମରା ମଧ୍ୟ ଖେଳିବା ନେଇ ସମ୍ଭାବନା ରହିଛି । ଅର୍ଥାତ ଭାରତ ଏକ ମଜବୁତ ବୋଲିଂ ବାହିନୀକୁ ଧରି ପଡିଆକୁ ଓହ୍ଲାଇବ । ଅନ୍ୟ ଦିଗରେ ନ୍ୟୁଜିଲାଣ୍ଡ ପାଇଁ ପରିସ୍ଥିତି ଠିକ୍ ନାହିଁ । ରାୟପୁରରେ ଦଳର ଦୁର୍ବଳ ଫିଲ୍ଡିଂ ସାମ୍ନାକୁ ଆସିଥିଲା । ଦଳ ଅନେକ କ୍ୟାଚକୁ ହାତଛଢା କରିଥିଲା । କେବଳ ଏତିକି ନୁହେଁ ବୋଲରମାନେ ମଧ୍ୟ ନିରାଶ କରିଥିଲେ । ସେମାନେ ଓ୍ୱିକେଟ୍ ନେବାରେ ବିଫଳ ହୋଇଥିଲେ । ଦଳ୨୦୦ରୁ ଅଧିକ ରନ୍ କରିଥିଲେ ବି ତାକୁ ଡିଫେଣ୍ଡ୍ କରିପାରିନଥିଲା । ତେଣୁ ଗୌହାଟୀରେ କିଓ୍ୱି ଟିମ୍ ଅଧିକ ଆକ୍ରମଣାତ୍ମକ ବ୍ୟାଟିଂ କରିପାରେ ।