ନୂଆଦିଲ୍ଲୀ, ୨୮/୦୧ : ବିଶାଖାପଟନମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚତୁର୍ଥ ଟି-20 ମ୍ୟାଚ୍ ଖେଳାଯିବ । ଭାରତ ପ୍ରଥମ ୩ଟି ଯାକ ମ୍ୟାଚ ଜିତି ସିରିଜ କବଜା କରି ସାରିଛି । ବାକି ୨ଟି ମ୍ୟାଚରେ ଅବଶିଷ୍ଟ ଖେଳାଳିଙ୍କୁ ସୁଯୋଗ ଦେବାକୁ ଟିମ ଇଣ୍ଡିଆର ଚୟନକର୍ତ୍ତା ଚାହୁଁଛନ୍ତି । ଟିମ୍ ଇଣ୍ଡିଆ ସିରିଜ କବଜା କରିଥିବାରୁ ଟିମରେ ବ୍ୟାଟିଂ ଏବଂ ବୋଲିଂରେ କିଛି ପରିବର୍ତ୍ତନ କରାଯାଇପାରେ । ଭାରତୀୟ ଏକାଦଶରେ ଇଶାନ କିଶନଙ୍କ ଉପସ୍ଥିତି ଓ ସୂର୍ଯ୍ୟକୁମାର ଯାଦବଙ୍କ ଫର୍ମ ଦଳକୁ ସନ୍ତୁଳିତ ଓ ସୁଦୃଢ଼ କରିଛି । ତେଣୁ ଭାଇଜାଗରେ କିଷନଙ୍କୁ ଓପନ୍ କରାଇବା ଏକ ଯୋଜନା ହୋଇପାରେ । ଏବେ ସଞ୍ଜୁ ସାମସନ ରନ୍ ପାଇଁ ସଂଘର୍ଷ କରୁଛନ୍ତି । ଲଗାତାର ଭାବେ ବିଫଳ ହେଉଛନ୍ତି । ତୃତୀୟ ମୁକାବିଲାରେ ସେ ପ୍ରଥମ ବଲରେ ବିନା କୌଣସି ରନରେ ବୋଲ୍ଡ ହୋଇଥିଲେ । ଟି-୨୦ ବିଶ୍ୱକପ୍ ପୂର୍ବରୁ ଦଳ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦେଇପାରେ । କାରଣ ସେ ଅଧିକ ସମୟରେ ଆହତ ହୋଇଥାନ୍ତି । ସିରିଜର ପ୍ରଥମ ତିନୋଟି ମୁକାବିଲାରେ ଶ୍ରେୟସ ଆୟରଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳି ନଥିଲା । କିନ୍ତୁ ଚତୁର୍ଥ ମୁକାବିଲାରେ ଶ୍ରେୟସ ପାଣ୍ଡ୍ୟାଙ୍କ ସ୍ଥାନରେ ଖେଳିପାରନ୍ତି । ଏତତ୍ ବ୍ୟତୀତ ବୋଲିଂ ବିଭାଗରେ ଯଶପ୍ରୀତ ବୁମରା ଓ ରବି ବିଷ୍ଣୋଇଙ୍କ ସ୍ଥାନରେ ଯଥାକ୍ରମେ ଅର୍ଶଦୀପ ଦୀପ ସିଂହ ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ସୁଯୋଗ ମିଳିପାରେ ।