ନୂଆଦିଲ୍ଲୀ, ୨୯/୦୧ : ସୁପ୍ରିମକୋର୍ଟଙ୍କ ୱେବ୍ ସାଇଟ୍ ଅନୁସାରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୋୟମାଲ୍ୟା ବାଗଚୀଙ୍କ ଖଣ୍ଡପୀଠ ଆଜି ଶୁଣାଣି କରିବେ । ସୁପ୍ରିମକୋର୍ଟ ମାମଲାର ଶୁଣାଣି ପାଇଁ ସୂଚୀବଦ୍ଧ କରିଛନ୍ତି । ୟୁଜିସି ଜାତିଗତ ଭେଦଭାବ କରିବା ସହିତ କିଛି ବର୍ଗଙ୍କୁ ସୁରକ୍ଷାରୁ ବାହାରେ ରଖିଥିବା ଅଭିଯୋଗ ହୋଇଛି । ଚଳିତ ମାସ ୧୩ ତାରିଖରେ ୟୁଜିସି ପ୍ରମୋଶନ୍ ଅଫ୍ ଇକ୍ୟିଟି ଇନ୍ ହାୟର୍ ଏଜୁକେସନ୍ ରେଗୁଲେସନ୍ ୨୦୨୬ ନିୟମ ଲାଗୁ କରିଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟ ପଛୁଆ ବର୍ଗ, ଆର୍ଥିକ ଦୁର୍ବଳ ବର୍ଗ, ମହିଳା ଏବଂ ଦିବ୍ୟାଙ୍ଗ ଶିକ୍ଷକ ଏବଂ କର୍ମଚାରୀଙ୍କ ସହିତ ହେଉଥିବା ଭେଦଭାବକୁ ଦୂର କରିବା । ଏହି ଆଇନ ଆଧାରେ ପ୍ରତି ବିଶ୍ୱ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ୯ ଜଣିଆ ସଦସ୍ୟ ବିଶିଷ୍ଟ ଏକ ସମାନତା କମିଟି ଗଠନ ହେବ । ଏଥିରେ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ, ତିନି ଜଣ ପ୍ରଫେସର, ଜଣେ କର୍ମଚାରୀ, ଦୁଇ ଜଣ ସାଧାରଣ ନାଗରିକ, ଦୁଇ ଜଣ ନିମନ୍ତ୍ରିତ ଛାତ୍ର ଏବଂ ଜଣେ କୋଅର୍ଡିନେଟର୍ ରହିବେ । ଏହି କମିଟିରେ ୫ଟି ଆସନ ଏସସି, ଏସଟି, ଓବିସି, ଦିବ୍ୟାଙ୍ଗ ଏବଂ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇରହିବ । ଯାହାକୁ ନେଇ ସାଧାରଣ ବର୍ଗ ଆପତ୍ତି ଉଠାଇଛନ୍ତି । ଏଥିରେ କାହିଁକି ସାଧାରଣ ବର୍ଗଙ୍କୁ ରଖାଯାଇ ନାହିଁ ବୋଲି ପ୍ରଶ୍ନ ଉଠିଛି । ଭେଦଭାବର ନାମରେ କାହାକୁ ଆଇନର ଦୁରୁପଯୋଗ କରିବାର ଅଧିକାର ନାହିଁ । ୟୁଜିସି କେନ୍ଦ୍ରର ହେଉ କିମ୍ବା ରାଜ୍ୟର, ସମସ୍ତଙ୍କର ଏହା ସାମୂହିକ ଦାୟିତ୍ୱ ଆଇନ ନିରପେକ୍ଷ ଭାବରେ ପାଳନ ହେବ । ଯେଉଁ ବି ବ୍ୟବସ୍ଥା କରାଯାଇଛି ତାହା ଭାରତୀୟ ସମ୍ବିଧାନର ସୀମା ମଧ୍ୟରେ ହୋଇଛି । ଏହା ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ କରାଯାଇଛି । କାହା ଉପରେ ଅତ୍ୟାଚାର କରାଯିବ ନାହିଁ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି ।