ସୁରକ୍ଷାକର୍ମୀଙ୍କ ଗୁଳିରେ ୨ କୁଖ୍ୟାତ ମାଓବାଦୀ ନିହତ

ଭୁବନେଶ୍ୱର, ୩୦/୦୧ : ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ କୁଖ୍ୟାତ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଦକ୍ଷିଣ ବିଜାପୁର ଅଞ୍ଚଳର କାଭରଗଟ୍ଟା ଏନକାଉଣ୍ଟର ସ୍ଥଳରୁ କୁଖ୍ୟାତ ମାଓବାଦୀ ଏସିଏମ୍‌ ପ୍ରଦୀପ ଓ ଭୀମାଙ୍କ ମୃତ ଦେହ ଉଦ୍ଧାର ହୋଇଛି । ନିହତ ଦୁଇ କେଡର ମାଓବାଦୀ ବିଭିନ୍ନ ହିଂସା କାଣ୍ଡରେ ଜଡିତ ଥିଲେ । କଭରଗଟ୍ଟା ପଞ୍ଚାୟତର ପୂର୍ବତନ ସରପଞ୍ଚ ଭୀମା ମାଡକାମଙ୍କ ହତ୍ୟା ଘଟଣାରେ ସାମିଲ ଥିଲେ ଏହି ଦୁଇ ମାଓବାଦୀ । ଘଟଣା ସ୍ଥଳରୁ ଗୋଟିଏ ଏକେ-୪୭ ବନ୍ଧୁକ, ଗୋଟିଏ ୯ ଏମ୍‌ଏମ୍‌ ପିସ୍ତଲ, ଅଫୁଟା ଗୁଳି, ବିସ୍ଫୋରକ ସହ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି । କଭରଗଟ୍ଟା ଗୁଣ୍ଡରାଜଗୁଡେମ ଜଙ୍ଗଲରେ ମାଓବାଦୀଙ୍କ ପାମେଡ ଏରିଆ କମିଟିର ସଦସ୍ୟମାନେ ଲୁଚି ରହିଥିବା ନେଇ ବିଜାପୁର ପୁଲିସକୁ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଥିଲା । ଯାହାକୁ ଆଧାର କରି ଡିଆରଜି ଓ ସିଆରପିଏଫ୍‌ ବାହିନୀ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ । ନିହତ ମାଓବାଦୀ ପ୍ରଦୀପ ଓରଫ ଜଗାର ମୁଣ୍ଡ ଉପରେ ପୁର୍ବରୁ ପାଞ୍ଚ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିବା ବେଳେ ଭୀମା ଭେକୋ ମୁଣ୍ଡ ଉପରେ ଦୁଇ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା।