କିଟ୍ ଓ କିସ୍ ପରିଦର୍ଶନ କଲେ ନ୍ୟୁଜିଲାଣ୍ଡର ୩୦ ଜଣିଆ ଜନଜାତି ପ୍ରତିନିଧି ଦଳ

ଭୁବନେଶ୍ୱର, ୩୧/୦୧ : କିଟ୍ ଓ କିସ୍ ପରିଦର୍ଶନରେ ଆସିଥିବା ନ୍ୟୁଜିଲାଣ୍ଡର ୩୦ ଜଣିଆ ଜନଜାତି ପ୍ରତିନିଧି ଦଳ ଆଜି କିଟ୍‍ ଓ କିସ୍‍ ପରିଦର୍ଶନ କରିଛନ୍ତି । ସେମାନେ କିଟ୍‍ର ବିଭିନ୍ନ କ୍ୟାମ୍ପସ୍‍ ଓ କିସ୍‍ର ସମସ୍ତ ୟୁନିଟ୍‍ ବୁଲି ଦେଖିଥିଲେ । କିଟ୍‍ ଓ କିସ୍‍ ବିଷୟରେ ସେମାନେ ପୂର୍ବରୁ ଶୁଣିଥିଲେ । ଆଜି କିସ୍‍ ବୁଲି ଦେଖିବା ପରେ ସେମାନେ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଶିକ୍ଷା ଜରିଆରେ ଜନଜାତି ବିକାଶ କ୍ଷେତ୍ରରେ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ କିସ୍‍ ପକ୍ଷରୁ ସେମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଓ ସ୍ୱାଗତ କରାଯାଇଥିଲା । ସେମାନେ ମଧ୍ୟ କିସ୍‍ର ୧୦ ହଜାର ଛାତ୍ରୀଙ୍କ ସମ୍ମୁଖରେ ନ୍ୟୁଜିଲାଣ୍ଡର ଜନଜାତିଙ୍କ ମାଓରୀ ପାରମ୍ପରିକ ନୃତ୍ୟ ‘ହାକା’ ପରିବେଷଣ କରିଥିଲେ । ନ୍ୟୁଜିଲ୍ୟାଣ୍ଡ ଓ ଭାରତର ସାଧାରଣ ଜନତାଙ୍କ ମଧ୍ୟରେ ସାଂସ୍କୃତିକ ସଂପକର୍କୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମର ଅଂଶ ଭାବରେ ଏହି ଗସ୍ତର ଆୟୋଜନ କରାଯାଇଛି । ” ବିଶ୍ୱ ଓ ଆମେ’ ମହୋତ୍ସବର ଏହା ଅନ୍ୟତମ ପ୍ରୟାସ ବୋଲି କୁହାଯାଇଛି । ନିଉଜିଲାଣ୍ଡର ଏହି ପ୍ରତିନିଧିଙ୍କ ଗସ୍ତ ସମୟରେ ସେମାନେ ସାଂସ୍କୃତିକ ଆଲୋଚନା, ଆନୁଷ୍ଠାନିକ ବିନିମୟ ଓ ଶିଳ୍ପ କଳା, ସାମାଜିକ କାର୍ଯ୍ୟ ଏବଂ ବିଶ୍ୱ ସାଂସ୍କୃତିକ ସହଯୋଗ ଉପରେ ଧ୍ୟାନ କେନ୍ଦ୍ରିତ ଆଲୋଚନାରେ ଯୋଗଦେବେ । ସେମାନେ ଭୁବନେଶ୍ୱର ସମସ୍ତ ଐତିହ୍ୟସ୍ଥଳ ପରିଦର୍ଶନ ସହ ପୁରୀ, କୋଣାର୍କ ତଥା ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳ ପରିଦର୍ଶନ କରିବେ ।