ଆଜି ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଅଜିତ ପାଓ୍ବାରଙ୍କ ପତ୍ନୀ ସୁନେତ୍ରା

ନୂଆଦିଲ୍ଲୀ, ୩୧/୦୧ : ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ହେବେ। ଆଜି ସନ୍ଧ୍ୟା ୫ଟାରେ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ସେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କ ନେତୃତ୍ୱାଧୀନ ମହାୟୁତି ସରକାରରେ ଅବକାରୀ ଏବଂ କ୍ରୀଡ଼ା ବିଭାଗର ଦାୟିତ୍ୱ ମଧ୍ୟ ତୁଲାଇବେ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ୍ ଅଜିତ ପାୱାରଙ୍କ ଅର୍ଥ ବିଭାଗକୁ ନିଜ ପାଖରେ ରଖିଛନ୍ତି। ଆଗାମୀ ବଜେଟ ଅଧିବେଶନ ପୂର୍ବରୁ ସେ ଅର୍ଥମନ୍ତ୍ରୀର ଦାୟିତ୍ୱ ଗ୍ରହଣ କରିବେ। ଅଜିତ ପାୱାରଙ୍କ ଦେହାନ୍ତ ପରେ, ଦଳର ନେତାମାନେ ମହାୟୁତି ସରକାର ନିଜର ଶକ୍ତି ବଜାୟ ରଖିବାକୁ ଚେଷ୍ଟା ଜାରି ରଖିଛନ୍ତି । ବରିଷ୍ଠ ଏନସିପି ନେତା ପ୍ରଫୁଲ ପଟେଲ, ସୁନୀଲ ତଟକରେ ଏବଂ ଛଗନ ଭୁଜବଳ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ଏହି ବୈଠକ ସମୟରେ, ଏନସିପି (ଅଜିତ ପାୱାର ଗୋଷ୍ଠୀ) ନେତାମାନେ ସ୍ୱର୍ଗତ ଅଜିତ ପାୱାରଙ୍କ ହେଭିୱେଟ୍ ବିଭାଗ ପାଇଁ ଦଳ ପକ୍ଷରୁ ସେମାନଙ୍କର ଦାବି ଉପସ୍ଥାପନ କରିଥିଲେ। ସୁନେତ୍ରାଙ୍କୁ କ୍ରୀଡ଼ା ଏବଂ ଉତ୍ପାଦ ଶୁଳ୍କ ବିଭାଗ ଦିଆଯାଉଥିବା ବେଳେ, ମୁଖ୍ୟମନ୍ତ୍ରୀ ଅର୍ଥ ବିଭାଗ ନିଜ ପାଖରେ ରଖିଛନ୍ତି। ଏହି ବୈଠକ ପରେ, ଶୁକ୍ରବାର ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଛଗନ ଭୁଜବଳ ଘୋଷଣା କରିଛନ୍ତି ଯେ, ଏନସିପିର ବିଧାୟକ ଦଳ ବୈଠକ ଜାନୁଆରୀ ୩୧ରେ ଅନୁଷ୍ଠିତ ହେବ। ଏହି ବୈଠକରେ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରାଙ୍କୁ ବିଧାୟକ ଦଳ ନେତା ଭାବରେ ନିଯୁକ୍ତ କରାଯିବ। ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) କାର୍ଯ୍ୟାଳୟରେ ସାମ୍ବାଦିକମାନଙ୍କୁ ଭୁଜବଳ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ସ୍ପଷ୍ଟ କରିଛନ୍ତି ଅଜିତ ପାୱାରଙ୍କ ପରେ ସେ ଏନସିପିର ଦାୟିତ୍ୱ ନେବା ବିଷୟରେ ଆଲୋଚନା ହେଉଛି। ଫେବୃଆରୀ ୭ ତାରିଖରେ ହେବାକୁ ଥିବା ପୁଣେ ଜିଲ୍ଲା ପରିଷଦ ନିର୍ବାଚନ ପୂର୍ବରୁ ଦଳ ଏହି ଶୀର୍ଷ ପଦବୀ ସମ୍ପର୍କରେ ସ୍ପଷ୍ଟ କରିବାକୁ ଚାହୁଁଛି। ସୂଚନାଯୋଗ୍ୟ, ଜାନୁଆରୀ ୨୮ ତାରିଖରେ ଏକ ବିମାନ ଦୁର୍ଘଟଣାରେ ଏନସିପି ଅଧ୍ୟକ୍ଷ ଅଜିତ ପାୱାରଙ୍କ ମୃତ୍ୟୁ ହୋଇଥିଲା।