ଆଜି ପବିତ୍ର ମାଘ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀବିଗ୍ରହଙ୍କ ଗଜୋଦ୍ଧାରଣ ବେଶ

ଭୁବନେଶ୍ୱର, ୦୧/୦୨ : ଆଜି ପବିତ୍ର ମାଘ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଗଜୋଦ୍ଧାରଣ ବେଶ ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ବଢ଼ିବା ପରେ ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଅନୁଷ୍ଠିତ ହେବ । ସନ୍ଧ୍ୟାଧୂପରେ ଠାକୁରଙ୍କୁ ଖିରି ଓ ଅମାଲୁ ଭୋଗ କରାଯିବ। ଗଜରାଜ କ୍ଷତବିକ୍ଷତ ଅବସ୍ଥାରେ ବିକଳ ହୋଇ ଉଦ୍ଧାର ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ । ଭକ୍ତର ଡାକ ଶୁଣି କୁମ୍ଭୀର କବଳରୁ ଗଜରାଜକୁ ଠାକୁର ଉଦ୍ଧାର କରିଥିଲେ । ସେହି ସ୍ମୃତିରେ ଶହଶହ ବର୍ଷ ଧରି ଠାକୁରଙ୍କ ଏହି ଗଜୋଦ୍ଧାରଣ ବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇ ଆସୁଛି। ଏହି ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଚତୁର୍ଭୁଜ ହୋଇ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥାନ୍ତି । ଗରୁଡ଼ ଉପରେ ବସିବା ଭଙ୍ଗିରେ ଲକ୍ଷ୍ମୀ ପ୍ରତିମାଙ୍କୁ କୋଳରେ ଧାରଣ କରିଥାନ୍ତି ମହାପ୍ରଭୁ । ସେହିପରି ବଳଭଦ୍ର ଚତୁଃହସ୍ତରେ ଶଙ୍ଖ, ଚକ୍ର, ହଳ ଓ ମୁଷଳ ଧାରଣ କରି ବାସୁଦେବଙ୍କ ରୂପରେ ଓ ଦେବୀ ସୁଭଦ୍ରା ଶ୍ରୀକୃଷ୍ଣଙ୍କ ସଦୃଶ ପାଦ ଛନ୍ଦି ଏକ ପଦ୍ମ କଢ ଧରି ବିରାଜମାନ କରିଥାନ୍ତି ।