୧୯ ବର୍ଷରୁ କମ୍‌‌ ବିଶ୍ବକପ୍‌‌: ଆଜି ଭାରତ-ପାକିସ୍ତାନ ଲଢ଼େଇ

ନୂଆଦିଲ୍ଲୀ, ୦୧/୦୨ : ଚଳିତ ଆଇସିସି ୧୯ ବର୍ଷରୁ କମ୍‌‌ ଦିନିକିଆ ବିଶ୍ବକପ୍‌ର ଗୋଟିଏ ସେମିଫାଇନାଲ ସ୍ଥାନ ବାକିଥିବା ବେଳେ ଶେଷ ସୁପର୍‌‌-୬ ମ୍ୟାଚ୍‌ ମଧ୍ୟ ବାକିଅଛି। ଆଜି ଦୁଇ ଚିର ପ୍ରତିଦ୍ବନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଶେଷ ସୁପର୍‌‌-୬ ଲିଗ୍‌ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ନିଶ୍ଚିତ କରିବ ଯେ ଚତୁର୍ଥ ଦଳ ଭାବେ କେଉଁ ଦଳ ବିଶ୍ବକପ୍‌ର ସେମିଫାଇନାଲ ଖେଳିବ। ଗ୍ରୁପ୍‌-୨ରେ ଥିବ ଭାରତ ୩ଟି ମ୍ୟାଚ୍‌ରୁ ୬ ଏବଂ ପାକିସ୍ତାନ ୩ଟି ମ୍ୟାଚ୍‌ରୁ ୪ ପଏଣ୍ଟ ପାଇଛନ୍ତି। ତେଣୁ ରବିବାର ମ୍ୟାଚ୍‌ ପରେ ୪ର୍ଥ ସେମିଫାଇନାଲିଷ୍ଟ ସ୍ଥାନ ନିଶ୍ଚିତ ହୋଇଯିବ। ସୁପର୍‌‌-୬ ପର୍ଯ୍ୟାୟରେ ଭାରତ ଓ ପାକିସ୍ତାନ ସେମାନଙ୍କ ପ୍ରଥମ ମ୍ୟାଚ୍‌ ଜିତିଛନ୍ତି। ଭାରତ ୨୦୪ ରନରେ ଜିମ୍ବାୱେକୁ ଓ ପାକିସ୍ତାନ ୮ ୱିକେଟ୍‌‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଗ୍ରୁପ୍‌‌ ପର୍ଯ୍ୟାୟରେ ଭାରତ ୩ଟି ଯାକ ମ୍ୟାଚ୍‌‌ ଜିତି ଅଜେୟ ରହିଛି। ହେଲେ ପାକିସ୍ତାନ ଗ୍ରୁପ୍‌ ମ୍ୟାଚ୍‌ରେ ଇଂଲଣ୍ଡଠାରୁ ପରାସ୍ତ ହୋଇଥିଲା। ଭାରତର ରନରେଟ୍‌‌ ମଧ୍ୟ ବେଶ୍‌‌ ଭଲ ରହିଛି। ତେଣୁ ଭାରତ ବହୁତ ବଡ଼ ବ୍ୟବଧାନରେ ନ ହାରିଲେ ଏହା ସେମିଫାଇନାଲ ଖେଳିବା ନିଶ୍ଚିତ। ପାକିସ୍ତାନ ଅଳ୍ପ ବ୍ୟବଧାନରେ ଜିତିଲେ ମଧ୍ୟ ଏହା ବିଦାୟ ନେବ। ଉଦାହରଣ ସ୍ବରୂପ ପାକିସ୍ତାନ ପ୍ରଥମେ ବ୍ୟାଟିଂକରି ୩୦୦ ରନ୍‌ କଲେ ଅତିକମ୍‌ରେ ୮୫ ରନ୍‌ରେ ଜିତିବାକୁ ହେବ। ଅନ୍ୟପକ୍ଷ​‌େ​‌ର ଭାରତ ୨୦୦ ରନ୍‌ କଲେ ପାକିସ୍ତାନକୁ ୩୧.୫ ଓଭର ଏବଂ ଭାରତ ୨୫୦ ରନ୍‌ କଲେ ପାକିସ୍ତାନକୁ ୩୩.୨ ଓଭରରେ ଜିତିବାକୁ ପଡ଼ିବ। ଭାରତ ନିକଟରେ ଗତ ଏସିଆ କପ୍‌‌ ଫାଇନାଲରେ ପରାଜୟର ପ୍ରତିଶୋଧ ନେବା ଲାଗି ଏହି ମ୍ୟାଚ୍‌ରେ ସୁଯୋଗ ରହିଛି।