ବଜେଟ୍ ପରେ ସେୟାର ବଜାର ଧରାଶାୟୀ : ଟ୍ରେଡିଂ ଉପରେ ବଢ଼ିଲା ଟିକସ

ନୂଆଦିଲ୍ଲୀ, ୦୧/୦୨ :  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟରେ ସେୟାର ବଜାରରେ କାରବାର କରୁଥିବା ଲୋକଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ବିଶେଷ କରି ଯେଉଁମାନେ ଫ୍ୟୁଚର୍ସ ଆଣ୍ଡ ଅପ୍ସନ୍ସ ବା ଯାହାକୁ ଆମେ ସାଧାରଣ ଭାଷାରେ ‘ଡେରିଭେଟିଭ୍ ଟ୍ରେଡିଂ’ କହୁ, ସେଥିରେ ଟିକସ ବଢ଼ାଇ ଦିଆଯାଇଛି । ସରକାର ଚାହୁଁଛନ୍ତି ଲୋକମାନେ ବଜାରରେ ଖୁବ୍ କମ୍ ସମୟ ପାଇଁ ଟଙ୍କା ଖଟାଇ ଜୁଆ ଖେଳିଲା ଭଳି କାରବାର ନକରନ୍ତୁ । ଏଥିପାଇଁ ସେୟାର କିଣାବିକା ସମୟରେ ଲାଗୁଥିବା ଟିକସକୁ ବଢ଼ାଇ ଦିଆଯାଇଛି । ପୂର୍ବରୁ ଯଦି ଆପଣ ୧ କୋଟି ଟଙ୍କାର କାରବାର କରୁଥିଲେ, ତେବେ ୨,୦୦୦ ଟଙ୍କା ଟିକସ ଦେଉଥିଲେ । ଏବେ ସେଥିପାଇଁ ଆପଣଙ୍କୁ ୫,୦୦୦ ଟଙ୍କା ଦେବାକୁ ପଡ଼ିବ । ଅପ୍ସନ୍ସ ଟ୍ରେଡିଂରେ ମଧ୍ୟ ଟିକସ ୫୦% ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଏହାଦ୍ୱାରା ଛୋଟ ଟ୍ରେଡର ବା ନୂଆ କରି ବଜାରକୁ ଆସିଥିବା ଲୋକଙ୍କ ପାଇଁ ଲାଭ କରିବା କଷ୍ଟକର ହୋଇଯିବ । କାରଣ ତାଙ୍କ ଲାଭର ଏକ ବଡ଼ ଅଂଶ ସରକାର ଟିକସ ଆକାରରେ ନେଇଯିବେ ।  ସେନସେକ୍ସ ମାତ୍ର କିଛି ସମୟ ମଧ୍ୟରେ ୧,୪୦୦ ପଏଣ୍ଟ ପର୍ଯ୍ୟନ୍ତ ତଳକୁ ଖସି ଆସିଲା । Angel One, Groww ବା BSE ଭଳି କମ୍ପାନୀଗୁଡ଼ିକ ମାଧ୍ୟମରେ ଯେଉଁ ଲୋକେ ଟ୍ରେଡିଂ କରନ୍ତି , ସେମାନଙ୍କ ସେୟାର ଦର ୧୦ ରୁ ୧୭ ପ୍ରତିଶତ ପର୍ଯ୍ୟନ୍ତ କମିଗଲା । କାରଣ ଟିକସ ବଢ଼ିଲେ ଲୋକେ କମ୍ ଟ୍ରେଡିଂ କରିବେ ଏବଂ ଏହି କମ୍ପାନୀଙ୍କର କ୍ଷତି ହେବ ।