ଭୁବନେଶ୍ୱର, ୦୨/୦୨ : ବଦଳିବ ମିଶନ ଶକ୍ତି ଡ୍ରେସ୍ କୋଡ୍ । ଏଣିକି ମିଶନ ଶକ୍ତ ମହିଳାମାନେ ଧରିବେ ସ୍ମାର୍ଟ ଫୋନ୍ । ଏହା ସହିତ ନୂଆ ଡ୍ରେସ୍ କୋଡ୍ ମଧ୍ୟ ଲାଗୁ ହେବ । ଖୁବ ଶୀଘ୍ର ମିଶନ ଶକ୍ତି ମହିଳାମାନେ ପିନ୍ଧିବେ ନୂଆ ଡ୍ରେସ୍ କୋଡ୍ । ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଉତ୍କଳ ଦିବସରୁ ନୂତନ ଡ୍ରେସ୍ କୋଡ୍ ଲାଗୁ କରାଯିବ । ମିଶନ ଶକ୍ତି ମହିଳାଙ୍କୁ ଆଇଡି କାର୍ଡ ସହ ସ୍ମାର୍ଟ ଫୋନ୍ ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ମିଶନ ଶକ୍ତି ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ସୁଧ ଫେରସ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ମାର୍ଟ ଫୋନ କମ୍ୟୁନିଟି ରିସୋର୍ସ ପର୍ସନଙ୍କୁ ମିଳିବ । ୪୬ ହଜାର ସିଆରପିଙ୍କୁ ମିଳିବ । ମିଶନ ଶକ୍ତି ମହିଳାଙ୍କ ଡ୍ରେସ୍ କୋଡ୍ ବଦଳାଯିବ । ସେମାନଙ୍କୁ ଦିଆଯାଇଥିବା ଶାଢୀରେ ଓଡ଼ିଆ ଅସ୍ମିତାର ଝଲକ ରହିବ । ମହିଳା ସଶକ୍ତିକରଣ ଏବଂ ମାଆମାନଙ୍କର ଆର୍ଥିକ ଅଭିବୃଦ୍ଧିକୁ ସୃଦୃଢ କରିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କର ବ୍ୟାଙ୍କ ଋଣ ଉପରେ ସୁଧ ଫେରସ୍ତ ବ୍ୟବସ୍ଥା ସହାୟକ ହୋଇଛି । ଏହା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଭିତ୍ତିକୁ ସୁଦୃଢ଼ କରିବା ସହିତ ଅଧିକ ବଜାର ସୁଯୋଗ ସୃଷ୍ଟି କରି ମହିଳା ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହିତ କରୁଛି।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ମୋଟ ୨,୮୦,୫୮୬ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭.୬୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସୁଧ ଫେରସ୍ତ କରାଯାଇଛି । ପୂର୍ବରୁ ତିନୋଟି ପର୍ଯ୍ୟାୟରେ ୩୧୮ କୋଟି ୩୦ ଲକ୍ଷ ୧୬ ହଜାର ୬୪୫ ଟଙ୍କା ଦିଆଯାଇଛି। ୫ ଲକ୍ଷ ୪୪ ହଜାର ୪୯୩ ଗୋଷ୍ଠୀଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି। ୨ ଲକ୍ଷ ୮୦ହଜାର ୫୮୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟି ୬୬ ଲକ୍ଷ ୩୮ ହଜାର ୨୫୨ ଟଙ୍କା ଫେରସ୍ତ କରାଯାଇଛି। ଗୋଷ୍ଠୀମାନଙ୍କ ଉପରେ ସୁଧ ପରିଶୋଧର ଭାର ହ୍ରାସ କରିବା ପାଇଁ ଓଡିଶା ସରକାର ସ୍ୱୟଂ ସହାୟକ ଗୋଷ୍ଠୀ ନେଉଥିବା ବ୍ୟାଙ୍କ ଋଣ ରାଶିକୁ ବୃଦ୍ଧି କରିବା ସହ ୧୦ ଲକ୍ଷ ପର୍ଯ୍ୟନ୍ତ ଋଣରେ ବାର୍ଷିକ ସୁଧ ହାରକୁ ଶୂନ୍ୟ ପ୍ରତିଶତକୁ ଆଣିଛନ୍ତି। ଏହି ସୁଧ ଫେରସ୍ତ ରାଶି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଯାଇଥାଏ। ଏହା ଉଦ୍ୟୋଗୀ ହେବା ପଥରେ ଅଗ୍ରସର ମା’ ଓ ଭଉଣୀମାନଙ୍କ ଆର୍ଥିକ ସ୍ଥିତିକୁ ଆହୁରି ମଜଭୁତ କରିବ । ମହିଳାଙ୍କ ନେତୃତ୍ୱରେ ଗ୍ରାମୀଣ ଅର୍ଥନୀତିକୁ ଆହୁରି ସମୃଦ୍ଧ କରି ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ନିର୍ମାଣର ପରିକଳ୍ପନା ସମ୍ଭବପର ହୋଇପାରିବ । ଆମ ସରକାରଙ୍କ ବିଭିନ୍ନ ଯୋଜନା ଓ ପଦକ୍ଷେପ ଏହି ପରିକଳ୍ପନାକୁ ବାସ୍ତବ ରୂପ ଦେଉଛି । ଗତକାଲି ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନ କରିବା ଅବସରରେ ‘ସି-ମାର୍ଟ’ ବାବଦରେ ଘୋଷଣା କରି ସେହି ପ୍ରତିବଦ୍ଧତାର ପ୍ରମାଣ ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ଡଃ ମୋନିକା ପ୍ରିୟଦର୍ଶିନୀ, ନିର୍ଦ୍ଦେଶିକା, ମିଶନ ଶକ୍ତି ବିଭାଗ; ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର, ଅତିରିକ୍ତ ଶାସନ ସଚିବ, ମିଶନ ଶକ୍ତି ବିଭାଗ; ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀଗଣ, ବିଭିନ୍ନ ବ୍ୟାଙ୍କର ଅଧିକାରୀବୃନ୍ଦ, ପ୍ରତି ଜିଲ୍ଲାରୁ ଆଭାସୀ ମାଧ୍ୟମରେ କ୍ଷେତ୍ର ଅଧିକାରୀବୃନ୍ଦ, କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମା’ ଓ ଭଉଣୀମାନେ ଯୋଗଦେଇଥିଲେ ।