ନୂଆଦିଲ୍ଲୀ, ୦୩/୦୨ : ଆସନ୍ତା ୧୫ ତାରିଖରେ କଲମ୍ବୋରେ ଭାରତ-ପାକିସ୍ତାନ ମ୍ୟାଚ୍ ନିର୍ଦ୍ଧାରିତ ହୋଇଛି। ଏହି ମ୍ୟାଚ୍ ନ ଖେଳିବାକୁ ପାକିସ୍ତାନ ସରକାର ଘୋଷଣା କରିଛନ୍ତି। ଏଣେ ବିସିସିଆଇ ଘୋଷଣା କରିଛି ଯେ ୧୫ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିବା ଲାଗି ଭାରତୀୟ ଦଳ ଦୁଇ ଦିନ ପୂର୍ବରୁ କଲମ୍ବୋରେ ପହଞ୍ଚିବ। ମ୍ୟାଚ୍ ରେଫେରୀଙ୍କ ସହ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପଡ଼ିଆକୁ ଟସ୍ ପକାଇବାକୁ ଯିବେ। ତେବେ ଟସ୍ ପାଇଁ ଯଦି ପାକିସ୍ତାନ ଅଧିନାୟକ ସଲ୍ମାନ ଆଗା ନ ଆସନ୍ତି; ତେବେ ଭାରତକୁ ୨ ପଏଣ୍ଟ ଦେବାର ଘୋଷଣା କରିବେ ମ୍ୟାଚ୍ ରେଫେରୀ। ଟ୍ବେଣ୍ଟି୨୦ ବିଶ୍ବକପ୍ ପୂର୍ବରୁ ଘରୋଇ ମାଟିରେ ଅଷ୍ଟ୍ରେଲିଆ ଭଳି ଦଳ ବିପକ୍ଷରେ ପାକିସ୍ତାନ ୩-୦ରେ ଟ୍ବେଣ୍ଟି ଶୃଙ୍ଖଳା ଜିତିଛି। ଶେଷ ୨ଟି ଟ୍ବେଣ୍ଟି୨୦କୁ ପାକିସ୍ତାନ ୯୦ ଓ ୧୧୧ ରନ୍ରେ ଜିତିଥିଲା। ପାକିସ୍ତାନ ଦଳ ଭାରତ ବିପକ୍ଷ ମ୍ୟାଚ୍କୁ ବର୍ଜନ କରିବା ପାଇଁ ସରକାରଙ୍କ ନିଷ୍ପତ୍ତି ପଛରେ ସବୁଠାରୁ ବଡ଼ ହାତ ରହିଛି ପାକିସ୍ତାନ କ୍ରିକେଟ୍ ବୋର୍ଡର ମୁଖ୍ୟ ମୋହ୍ସିନ ନକ୍ଭିଙ୍କର। ଗତ ଏସିଆ କପ୍ରେ ଭାରତ-ପାକିସ୍ତାନ କ୍ରିକେଟ୍ ଦଳ ମଧ୍ୟରେ ତିକ୍ତ ସମ୍ପର୍କ ଦେଖା ଯାଇଥିଲା। ଉଭୟ ଦଳ ୩ ଥର ଏସିଆ କପ୍ରେ ଖେଳିଥିଲେ ମଧ୍ୟ ପାକିସ୍ତାନ ଅଧିନାୟକ ସଲ୍ମାନ ଆଗାଙ୍କ ସହ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଆଦୌ ହାତ ମିଳାଇ ନଥିଲେ। ଫାଇନାଲ ମ୍ୟାଚ୍ ପରେ ଏସୀୟ କ୍ରିକେଟ୍ ପରିଷଦ (ଏସିସି)ର ମୁଖ୍ୟ ଥିବା ନକ୍ଭି ହିଁ ଟ୍ରଫି ପ୍ରଦାନ କରିବେ ବୋଲି ଜାଣିବା ପରେ ଭାରତୀୟ ଦଳ ତାଙ୍କଠାରୁ ଟ୍ରଫି ଗ୍ରହଣ କରିବ ନାହିଁ ବୋଲି କହିଥିଲା। ଭାରତୀୟ ଖେଳାଳି ଜିଦ୍ରେ ଅଟଳ ରହି ଟ୍ରଫି ନେଇନଥିଲେ। ପରେ ନକ୍ଭି ଟ୍ରଫି ନେଇ ଚାଲି ଯାଇଥିଲେ। ଏବେ ବାଂଲାଦେଶ ବୋର୍ଡ ଖେଳାଳିଙ୍କ ପ୍ରତି ବିପଦ ଥିବା ଦର୍ଶାଇ ଭାରତ ଯିବାକୁ ମନା କରି ଦେଇଥିଲା। ବିସିବି ତା’ର ଜିଦ୍ରେ ଅଟଳ ରହିବାକୁ ବିଶ୍ବକପ୍ରୁ ବାଂଲାଦେଶକୁ ବାଦ୍ଦେଇ ଏହା ସ୍ଥାନରେ ସ୍କଟ୍ଲାଣ୍ଡକୁ ସାମିଲ କରିଛି ଆଇସିସି। ଏହି ମାମଲାରେ ବାଂଲାଦେଶକୁ ନକ୍ଭି ସମର୍ଥନ କରିଥିଲେ। ଆଇସିସିର ଦୋମୁହଁା ନୀତିକୁ ବିରୋଧ କରି ନକ୍ଭି ଯୁକ୍ତି ବାଢ଼ିଥିଲେ ଯେ ଯଦି ନିରାପତ୍ତା କାରଣରୁ ଶ୍ରୀଲଙ୍କାରେ ସମସ୍ତ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ଦଳକୁ ଆଇସିସି ଅନୁମତି ଦେଇଛି। ସମାନ କାରଣରୁ ବାଂଲାଦେଶ ଦଳ ଭାରତ ନ ଯିବାକୁ କହି ଶ୍ରୀଲଙ୍କାରେ ଏହାର ସମସ୍ତ ମ୍ୟାଚ୍ ରଖିବାକୁ ଦାବି କରିଥିଲା। ହେଲେ ଏହି ଦାବିକୁ ଆଇସିସି ପ୍ରତ୍ୟାଖ୍ୟାନ କରି ଏହାକୁ ବିଶ୍ବକପ୍ରୁ ବାଦ୍ଦେବା ଅଯୌକ୍ତିକ ବୋଲି ମୋହ୍ସିନ ନକ୍ଭି ଗଣମାଧ୍ୟମକୁ କହିଥିଲେ। ନକ୍ଭି ପାକିସ୍ତାନ ସରକାରରେ ମନ୍ତ୍ରୀ ଥିବାରୁ ସେ ହିଁ ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ ପାଇଁ ସରକାରଙ୍କୁ କହିଥିବା କଥା ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି। ନକ୍ଭିଙ୍କୁ ଟ୍ବେଣ୍ଟି୨୦ ବିଶ୍ବକପ୍ର ଖଳନାୟକ ବୋଲି କିଛି ଗଣମାଧ୍ୟମ ବର୍ଣ୍ଣନା କରିଛି।