ଭୁବନେଶ୍ୱର: ଅଧ୍ୟୟନ ପରିଦର୍ଶନ କାର୍ଯ୍ୟକ୍ରମରେ ଓଡ଼ିଶା ଆସିଥିବା ଦିଲ୍ଲୀ ସ୍ଥିତ ନ୍ୟାସନାଲ୍ ଡିଫେନ୍ସ କଲେଜ୍ର ପ୍ରଶିକ୍ଷାର୍ଥୀ ଅଧିକାରୀଗଣ ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ଏହି ଅଧ୍ୟୟନ ପରିଦର୍ଶନ କାର୍ଯ୍ୟକ୍ରମରେ ୫ଟି ଦେଶର ସେନା ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ । ଆମପାଇଁ ‘ଦେଶ’ର ଅର୍ଥ ହେଉଛି କେବଳ ‘ଜାତୀୟ ସେବା’ । ଏହା ଆମର ପ୍ରତିବଦ୍ଧତା। ପ୍ରତ୍ୟେକ ସାମରିକ ଅଧିକାରୀଙ୍କ ଭାବାବେଗ ସହିତ ଆମର ଏହି ମନୋଭାବ ଗଭୀର ଭାବରେ ଜଡିତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଆର୍ମେନିଆ, ଭୁଟାନ, ଶ୍ରୀଲଙ୍କା, ମଙ୍ଗୋଲିଆ ଏବଂ ନେପାଳର ସେନାବାହିନୀ ଅଧିକାରୀମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବାର୍ତ୍ତାଳାପ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ସେନା ଅଧିକାରୀଙ୍କୁ ସମ୍ବୋଧନ କରି କହିଛନ୍ତି । ଆମପାଇଁ “ଦେଶ” ର ଅର୍ଥ ହେଉଛି କେବଳ ଜାତୀୟ ସେବା । ଏହା ଆମର ପ୍ରତିବଦ୍ଧତା। ପ୍ରତ୍ୟେକ ସାମରିକ ଅଧିକାରୀଙ୍କ ଭାବାବେଗ ସହିତ ଆମର ଏହି ମନୋଭାବ ଗଭୀର ଭାବରେ ଜଡିତ । ମୁଖ୍ୟମନ୍ତ୍ରୀ ଅପରେସନ ସିନ୍ଦୁରର ସଫଳତା ଓ ଭାରତୀୟ ସଶସ୍ତ୍ର ବାହିନୀର କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ଅପରେସନ ସିନ୍ଦୁର ସମୟରେ ଆମର ବାହିନୀ ଦ୍ୱାରା ଦେଖାଯାଇଥିବା ସାହସ ଏବଂ ସାହସିକତାକୁ ସଲାମ କରିଛନ୍ତି । ଏହି ଅପରେସନ୍ ଆପଣଙ୍କ ଶୃଙ୍ଖଳା, ଦୃଢ଼ ପ୍ରତିବଦ୍ଧତା ଏବଂ ନିଃସ୍ୱାର୍ଥପର ସେବାର ପ୍ରମାଣ । ଏହି ଅବସରରେ ବିଭିନ୍ନ ଦେଶରୁ ଆସିଥିବା ଅଧିକାରୀ ମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ଏବଂ ସବୁ କ୍ଷେତ୍ରରେ ଓଡ଼ିଶାର ଦ୍ରୁତ ବିକାଶ ଦେଖି ପ୍ରଶଂସା କରିଥିଲେ। ଏଥିରେ ଭାରତୀୟ ସଶସ୍ତ୍ର ବାହିନୀ ର ବରିଷ୍ଠ ଅଧିକାରୀ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଥିବା ଦେଶର ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନାରେ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଏୟାର ମାର୍ଶାଲ ମନୀଷ କୁମାର ଗୁପ୍ତା, ମେଜର ଜେନେରାଲ ସିପି ସାଙ୍ଗରା, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର ଏବଂ ଭାରତୀୟ ସଶସ୍ତ୍ର ବାହିନୀର ଅଧିକାରୀଗଣ ପ୍ରମୁଖ ଉପସ୍ଥିତ ଥିଲେ।