ଭୁବନେଶ୍ୱର, ୧୦/୦୨ : ମଙ୍ଗଳବାର ପାଟନା ସିଭିଲ୍ କୋର୍ଟ ପୂର୍ଣ୍ଣିଆ ସାଂସଦ ପପୁ ଯାଦବଙ୍କୁ ଜାମିନ ପ୍ରଦାନ କରିଛନ୍ତି । ତାଙ୍କ ଓକିଲମାନେ କୋର୍ଟରେ ଯୁକ୍ତି ଦର୍ଶାଇଥିଲେ ଯେ ଯେଉଁ ମାମଲାରେ ତାଙ୍କୁ ଅଭିଯୁକ୍ତ କରାଯାଇଛି ସେଥିରେ ତାଙ୍କର ସିଧାସଳଖ ସମ୍ପୃକ୍ତିର ପର୍ଯ୍ୟାପ୍ତ ପ୍ରମାଣ ନାହିଁ ଏବଂ ସେ ତଦନ୍ତରେ ପୂର୍ଣ୍ଣ ସହଯୋଗ କରୁଛନ୍ତି । ପାଟନା ପୁଲିସ ତାଙ୍କୁ ଶୁକ୍ରବାର ମଧ୍ୟରାତ୍ରରେ ଏକ ୩୧ ବର୍ଷ ପୁରୁଣା ମାମଲାରେ ଗିରଫ କରିଥିଲା । ଶନିବାର ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଦୁଇ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ସାଂସଦ ପପୁ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ପିଏମସିଏଚ୍ ର କଏଦୀ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ପରେ, ତାଙ୍କୁ ରବିବାର ବେଉର ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ମଙ୍ଗଳବାର ପାଟନା ସିଭିଲ୍ କୋର୍ଟରେ ସାଂସଦଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା। କୋର୍ଟ ତାଙ୍କୁ ଆଜି ଜାମିନ ପ୍ରଦାନ କରିଛନ୍ତି।