ରାଜ୍ୟରେ ନୂଆ ୨୫୦ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୦/୦୨  : ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ୨୫୦ ଆମ୍ବୁଲାନ୍ସ ଲୋକାର୍ପିତ କରାଯାଇଛି । ଆଜି ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧିକ ୨୫୦ ଟି ନୂଆ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ ସରକାର ଜରୁରୀକାଳୀନ ଆମ୍ବୁଲାନ୍ସ ସେବାରେ ୪୨୮ଟି ନୂଆ ଆମ୍ବୁଲାନ୍ସ ଯୋଡ଼ିଛନ୍ତି ମୋହନ ସରକାର । ପ୍ରଥମ ପର୍ଯ୍ୟାୟରେ ୨୦୨୫ ମସିହା ଡିସେମ୍ବର ୨୩ ତାରିଖ ଦିନ ୧୫୦ଟି ଆମ୍ବୁଲାନ୍ସ ଲୋକାର୍ପିତ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଅଧିକ ୨୫୦ ଟି ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି ।  ଏଥିରେ ବିମାନବନ୍ଦର ନିମନ୍ତେ ୫ ଟି ଏବଂ ଝାରସୁଗୁଡ଼ା ସ୍ଥିତ କାର୍ଡିଆକ୍ କେୟାର୍ ହସ୍ପିଟାଲ ନିମନ୍ତେ ୨ଟି ଅତ୍ୟାଧୁନିକ ଲାଇଫ୍ ସପୋର୍ଟ (ALS) ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି । ପ୍ରତି ଆମ୍ବୁଲାନ୍ସ ପିଛା ୨୫.୭୭ ଲକ୍ଷ ଟଙ୍କା ହିସାବରେ ୪୨୮ଟି ଆମ୍ବୁଲାନ୍ସ ପାଇଁ ପ୍ରାୟ ୧୧୧ କୋଟି ଟଙ୍କା ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ବିନିଯୋଗ କରିଛନ୍ତି । ୪୪୯ଟି ବେସିକ ଲାଇଫ ସପୋର୍ଟ(BLS) ଆମ୍ବୁଲାନ୍ସ, ୪୧୧ଟି ଆଡ୍‌ଭାନ୍‌ସ୍‌ ଲାଇଫ ସପୋର୍ଟ (ALS) ଆମ୍ବୁଲାନ୍ସ ଏବଂ ୬ଟି ବୋଟ୍ ଆମ୍ବୁଲାନ୍ସ ରହିଛି । ଏହିସବୁ ଆମ୍ବୁଲାନ୍ସ ଦ୍ବାରା ଜନସାଧାରଣଙ୍କୁ ହସ୍ପିଟାଲ ଯିବା ନିମନ୍ତେ ଜରୁରୀକାଳୀନ ସ୍ଥାନାନ୍ତରଣ ସେବା ଦେୟମୁକ୍ତ ଭାବେ ଯୋଗାଇ ଦିଆଯାଉଛି ।  ରାଜ୍ୟରେ ଗର୍ଭବତୀ ମହିଳା ଓ ଅସୁସ୍ଥ ଶିଶୁମାନଙ୍କ ସୁରକ୍ଷିତ ପରିବହନ ପାଇଁ “ଜନନୀ ଏକ୍ସପ୍ରେସ୍” ଯୋଜନା ଅଧୀନରେ ୫୦୦ଟି ଆମ୍ବୁଲାନ୍ସ ନିୟୋଜିତ ରହିଛି । ବର୍ତ୍ତମାନ ୧୦୮ ଆମ୍ବୁଲାନ୍ସ ଓ ଜନନୀ ଏକ୍ସପ୍ରେସ୍ ସେବା ମାଧ୍ଯମରେ ପ୍ରତିଦିନ ହାରାହାରି ୫୦୦୦ରୁ ଅଧିକ ରୋଗୀଙ୍କୁ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚାଇ ଚିକିତ୍ସା ସୁବିଧା ଦିଆଯାଉଛି ।  ନୂଆ ଆମ୍ବୁଲାନ୍ସଗୁଡ଼ିକୁ ପର୍ଯ୍ୟାୟକ୍ରମେ ସେବାରେ ସମ୍ମିଳିତ କରିବା ଦ୍ବାରା ପୁରୁଣା ଆମ୍ବୁଲାନ୍ସ ଗୁଡ଼ିକର ପରିବର୍ତ୍ତନ କରି ଆମ୍ବୁଲାନ୍ସ ସେବାର ପ୍ରତିକ୍ରିୟା ସମୟ କମାଯାଇ ପାରିବ; ଏବଂ, ଜରୁରୀକାଳୀନ ସ୍ବାସ୍ଥ୍ୟ ସେବାକୁ ଅଧିକ ସୁଦୃଢ କରିବା ସହିତ ସୁସ୍ଥ ଓଡ଼ିଶା ଏବଂ ବିକଶିତ ଓଡ଼ିଶାକୁ ସାକାର ରୂପ ଦିଆଯାଇପାରିବ ।