ବହୁଚର୍ଚ୍ଚିତ କିନ୍ନର ହତ୍ୟାକାଣ୍ଡ : ଅଭିଯୁକ୍ତକୁ ଏନ୍‍କାଉଣ୍ଟର

ଭୁବନେଶ୍ୱର, ୧୨/୦୨ : ପିପିଲିର ବହୁଚର୍ଚ୍ଚିତ କିନ୍ନର ହତ୍ୟାକାଣ୍ଡର ଅଭିଯୁକ୍ତକୁ ବୁଧବାର ସଂନ୍ଧ୍ୟାରେ ପିପିଲି ପୁଲିସ ଏନ୍‍କାଣ୍ଟର କରିଛି । ଅଭିଯୁକ୍ତର ନାମ କ୍ରୀଷ୍ଣା କାଣ୍ଡି (୨୫) ଓ ତାର ଘର କୋଣାର୍କ ଅଞ୍ଚଳରେ ହୋଇଥିବା ପିପିଲି ଥାନାଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ ସୂଚନା ଦେଇଛନ୍ତି । ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ପରେ ସେଠାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତାର ବାମ ଗୋଡ ଆଣ୍ଠୁ ତଳେ ଗୁଳି ବାଜିଥିବା ସୂଚନା ମିଳିଛି । ତେବେ, ଅଭିଯୁକ୍ତର ଗୁଳିମାଡରୁ ପିପିଲି ଥାନାଧିକାରୀ ଓ ଅନ୍ୟ ପୁଲିସ କର୍ମଚାରୀମାନେ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି । ସାଲେପୁର ଅଞ୍ଚଳର ଦିନେଶ ଓରଫ ସୋନାକୁ ଗତ ୧ ତାରିଖ ରବିବାର ସଂନ୍ଧ୍ୟା ୮ଟାରୁ ସାଢେ ୮ଟା ମଧ୍ୟରେ ପିପିଲି ଥାନା ଅନ୍ତର୍ଗତ ସିଫା ନିକଟରେ କେହି ଦୁର୍ବୁତ୍ତ ବିଭତ୍ସ ଭାବେ ମାରଣାସ୍ତ୍ରରେ ହାଣି ହତ୍ୟା କରିଥିଲେ । ଜାତୀୟ ରାଜପଥ ପାଶ୍ୱର୍ରେ ଘଟିଥିବା ଏହି ହତ୍ୟାକାଣ୍ଡ ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ବେଳେ ସାଇଣ୍ଟିଫିକ୍‍ ଟିମ୍‍ ଓ ସନ୍ଧାନୀ କୁକୁର ସହାୟତାରେ ପିପିଲି ପୁଲିସ ଘଟଣାସ୍ଥଳରେ ତନାଘନା ତଦନ୍ତ ଚଳାଇବା ସହ ରକ୍ତଭିଜା ମାଟି, ନକଲି ଚୁଳ, ଚପଲ, ଅନ୍ତବସ୍ତ୍ର ଓ ଅନ୍ୟ କେତେକ ଜିନିଷକୁ ଜବତ କରିଥିଲା ।

ହତ୍ୟାକାରୀକୁ ଧରିବା ପାଇଁ ପୁରୀ ଏସ୍‍ପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଏସ୍‍ପିଙ୍କ ନେତୃତ୍ୱରେ ମାମଲାର ତଦନ୍ତକାରୀ ଅଧିକାରୀ ତଥା ପିପିଲି ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀଙ୍କ ସମେତ ଜଣେ ମହିଳା ଡିଏସ୍‍ପି, ୨ଜଣ ଇନିସପେକ୍ଟର, ୨ଜଣ ସବ୍‍ଇନିସପେକ୍ଟର ଓ ୨ଜଣ କନେଷ୍ଟବଳଙ୍କୁ ନେଇ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‍ଆଇଟି) ଗଠନ କରାଯାଇଛି । ବିଭିନ୍ନ ଦିଗକୁ ନେଇ ପୁଲିସ ଦୀର୍ଘ ୧୦ଦିନ କାଳ ତଦନ୍ତ ଜାରି ରଖିଛି । ଅପରାଧିକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ବେଳେ ତାର ମୋବାଇଲ୍‍କୁ ମଧ୍ୟ ଟ୍ରାକ୍‍ କରୁଥିଲା । ବୁଧବାର ସଂନ୍ଧ୍ୟା ସାଢେ ୭ରୁ ୭ଟା ୪୫ ମଧ୍ୟରେ ଅପରାଧି ଜଣକ ପିପିଲି ବାଇପାସ ରାସ୍ତାର ଏକ ପେଟ୍ରୋଲ ପମ୍ପ ନିକଟରେ ଯାଉଥିବା ବେଳେ ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀଙ୍କ ନେତୃତ୍ୱରେ ପୁଲିସ ଟିମ୍‍ ତାକୁ ଧରିବା ପାଇଁ ଘେରିଯାଇଥିଲେ । ଏହି ସମୟରେ ସେ ପୁଲିସ ଉପରକୁ ଗୁଳି ଚଳାଇଥିଲା । ତେବେ, ସୌଭାଗ୍ୟବସତଃ ଶ୍ରୀ ତ୍ରିପାଠୀଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ । ଶେଷରେ ଆଇଆଇସି ଶ୍ରୀ ତ୍ରିପାଠୀ ନିଜ ସର୍ଭିସ ରିଭରବଲରୁ ତା ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ । ଗୁଳିଟି ତା ବାମ ଗୋଡ ଆଣ୍ଠୁ ତଳେ ବାଜିଥିବା ବେଳେ ସେ ସେହିଠାରେ ତଳେ ପଡିଯାଇଥିଲା । ତତ୍‍କ୍ଷଣାତ୍‍ ପୁଲିସ ତାକୁ କାବୁ କରିବା ସହ ଚିକିତ୍ସା ପାଇଁ ପ୍ରଥମେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିବା ସୂଚନା ମିଳିଛି ।